ସିବିଆଇ ଚଢାଉ ପରେ ପ୍ରେସମିଟ କଲେ ମନିଶ ସିସୋଦିଆ । କହିଲେ, ୨ରୁ ୪ ଦିନ ଭିତରେ ମୋତେ ଗିରଫ କରାଯାଇପାରେ ।

316

କନକ ବ୍ୟୁରୋ: ଦିଲ୍ଲୀର ନୂଆ ଅବକାର ନୀତିକୁ ନେଇ କଥିତ ଦୁର୍ନୀତି ମାମଲାରେ ସିବିଆଇ ଚଢାଉ କରିଛିା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆଙ୍କ ଘରେ ରେଡର ଗୋଟିଏ ଦିନ ପରେ କେନ୍ଦ୍ର ସରକାର ଏବଂ ବିଜେପି ଉପରେ ବର୍ଷିଛନ୍ତି ସିସୋଦିଆ । ଶନିବାର ପ୍ରେସମିଟ କରି ସେ କହିଛନ୍ତି, ଅରବିନ୍ଦ କେଜରିୱାଲଙ୍କ ବଢୁଥିବା ଲୋକପ୍ରିୟତାକୁ ଦେଖି ଏଭଳି ଚଢାଉ କରାଯାଇଛି ।

ପ୍ରେସମିଟରେ ସେ ଆହୁରି ମଧ୍ୟ କହିଛନ୍ତି. ଏହି ପ୍ରସଙ୍ଗ ଦୁର୍ନୀତିର ନୁହେଁ । ଏମାନଙ୍କର ସବୁଠାରୁ ବଡ ଅସୁବିଧା ଅରବିନ୍ଦ କେଜରିୱାଲ । ଯେଉଁଭଳି ସାରାଦେଶରେ ଜଣେ ସ୍ୱଚ୍ଛନେତାଭାବେ ତାଙ୍କୁ ଲୋକ ଜାଣୁଛନ୍ତି ସେଥିପାଇଁ ଏହି ଘଟଣା ଘଟୁଛି । ପଞ୍ଜାବ ପରେ ତାଙ୍କୁ ଦେଶରେ ବିକଳ୍ପ ବାବେ ଦେଖିବାକୁ ମିଳୁଛି ତେଣୁ ଏଭଳି କରି ଅରବିନ୍ଦ କେଜରିୱାଲଙ୍କୁ ରୋକିବାକୁ ଉଦ୍ୟମ ହେଉଛି ।

ଅରବିନ୍ଦଙ୍କ ସବୁଠାରୁ ବଡ ଶକ୍ତି ତାଙ୍କର ସଚ୍ଚୋଟତା । କାମ କରିବା ଏବଂ କରାଇବା ତାଙ୍କୁ ଠିକ ଭାବେ ଜଣାଅଛି । ସେ ଶିକ୍ଷା ବ୍ୟବସ୍ଥାକୁ ଠିକ କରି ଦେଖାଇଛନ୍ତି । ଅରବିନ୍ଦଙ୍କ କାରଣରୁ ସାରା ବିଶ୍ୱରେ ଭାରତର ନାଁ ଆହୁରି ଉଚ୍ଚା ହେଉଛି । ଅରବିନ୍ଦ ସରକାରର ସ୍ୱାସ୍ଥ୍ୟ ଏବଂ ଶିକ୍ଷା ମନ୍ତ୍ରୀଙ୍କ ଘରେ ରେଡ କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ କୌଣସି ପ୍ରକାର ଦୁର୍ନୀତି କରିନାହିଁ । ମୁଁ ଅରବିନ୍ଦ ସରକାରର ଶିକ୍ଷା ମନ୍ତ୍ରୀ ଏଥିପାଇଁ ଷଡଯନ୍ତ୍ର କରାଯାଇଛି । ୨ରୁ୪ ଦିନ ଭିତରେ ଗିରଫ କରାଯାଇପାରେ ବୋଲି ସେ ଆଶା କରିଛନ୍ତି । ମୋଦୀ ଏବଂ ଅରିବିନ୍ଦଙ୍କ ମଧ୍ୟରେ ଫରକ ଏହା ଯେ ଅରବିନ୍ଦ ଭଲ କାମକରୁଥିବା ଲୋକଙ୍କ ଠାରୁ ପ୍ରେରଣା ନେଇଥାନ୍ତି । ମୋଦୀ କିନ୍ତୁ ତାଙ୍କ କାମକୁ ରୋକିବାକୁ ପୂରା ଚେଷ୍ଟା କରିଥାନ୍ତି । ସିବିଆଇର ଡର ଦେଖାଇ ସେ ରୋକିବା ପାଇଁ ଚେଷ୍ଟା କରିଥାନ୍ତି । ଅରବିନ୍ଦ ୨୪ ଘଣ୍ଟା ଦେଶର ହିତ କଥା ଭାବୁଥିବା ବେଳେ ମୋଦୀ ୨୪ ଘଣ୍ଟା ଭାବୁଛନ୍ତି କେଉଁ ରାଜ୍ୟରେ କାହାର ସରକାର ଅଛି ଆଉ ତାକୁ କେଉଁଭଳି ହଟାଯାଇପାରିବ । ସିସୋଦିଆ କହିଛନ୍ତି ଆଗାମୀ ୨୦୨୪ ନିର୍ବାଚନ ସାଧାସଳଖ ବିଜେପି ଏବଂ ଆପ ମଧ୍ୟରେ ହେବ ।