ଘର ମିଳିନଥିବାରୁ ଫେଲ ମାରିଲା ସରକାରଙ୍କ ଜିରୋ କାଜୁଆଲଟି ମିଶନ : କାନ୍ଥ ପଡି ବିଭିନ୍ନ ସ୍ଥାନରେ ମୃତ୍ୟୁ; ପ୍ରଶ୍ନ, ଏଯାଏଁ କାହିଁକି ମିଳିନି ଆବାସ ଘର

73

କନକ ବ୍ୟୁରୋ : ଘର ମିଳିନଥିବାରୁ ଫେଲ ମାରିଲା ସରକାରଙ୍କ ଜିରୋ କାଜୁଆଲଟି ମିଶନ । ପ୍ରବଳ ବର୍ଷା ଯୋଗୁଁ ମାଟି ଘର କାନ୍ଥ ପଡି ବିଭିନ୍ନ ସ୍ଥାନରେ ମୃତ୍ୟୁ । ମୟୂରଭଞ୍ଜର ରାଇରଙ୍ଗପୁର ଭୋଳବେଡା ଗାଁରେ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଯାଇଛି । ରାତିରେ ଖାଇସାରି ଶୋଇଥିବାବେଳେ ପ୍ରବଳ ବର୍ଷାରେ ଭେଦିବା ଯୋଗୁଁ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ସକାଳୁ ଦୁଇ ଭଉଣୀଙ୍କ ମୃତ ଦେହକୁ ଅଗ୍ନିଶମ ବାହିନୀର କର୍ମଚାରୀ ଉଦ୍ଧାର କରିଛନ୍ତି ।

ସେହିପରି ଶୋଇଥିବା ବେଳେ କେନ୍ଦୁଝରରରେ ଜଣଙ୍କର ମୃତ୍ୟୁ ହୋଇଛି । ସ୍ତ୍ରୀର ମୃତ୍ୟୁ ହୋଇଥିବାବେଳେ, ସ୍ୱାମୀ ଗୁରୁତର ହୋଇଛି । କେନ୍ଦୁଝର ମହାଦେଇଯୋଡ଼ା ପଞ୍ଚାୟତ ଟିପରପଡ଼ା ଗାଁର ବେହେରା ସାହିରେ ଅଘଟଣ ଘଟିଛି । ବିଳମ୍ବିତ ରାତିରେ ହୋଇଥିବା ଲଗାଣ ବର୍ଷାରେ ମାଟି ଘରକାନ୍ଥ ପଡ଼ିଯିବାରୁ ଘର ଭିତରେ ଶୋଇଥିବା ଦୂତିକା ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ କୁଲ୍ଲିଆ ବେହେରା ଗୁରୁତର ହୋଇଛନ୍ତି ।

ବସ୍ତାରେ ମଧ୍ୟ ମାଟି ଘରର କାନ୍ଥ ପଡିଯିବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି । ଜୟପୁରରୁ ମଧ୍ୟ ଆସିଛି ସମାନ ଖବର । ଅର୍ଥାତ ମାଟି ଘରେ ଶୋଇଥିବା ଅବସ୍ଥାରେ କାନ୍ଥ ପଡିଯିବାରୁ ସମସ୍ତଙ୍କର ମୃତ୍ୟୁ ହୋଇଛି । ପ୍ରଶ୍ନ ଉଠୁଛି, ଏମାନଙ୍କ କାହିଁକି ମିଳିନଥିଲା ଆବାସ ଯୋଜନାରେ ଘର । ଯଦି ଆବାସ ଯୋଜନରେ ଏମାନଙ୍କୁ ଘର ମିଳିଥାନ୍ତା ହୁଏତ ଆଜି ସେମାନଙ୍କର ମୃତ୍ୟୁ ହୋଇନଥାନ୍ତା । କେନ୍ଦ୍ର ଓ ରାଜ୍ୟ ସରକାର ୨୦୨୨ ସୁଦ୍ଧା ପ୍ରତ୍ୟକ ପରିବାର ମୁଣ୍ଡ ଉପରେ ଛାତ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ବି କାହିଁକି ଫେଲ ମାରିଲା । ଏଥିପାଇଁ କିଏ ରହିବ ଦାୟୀ ।