ଚର୍ଚ୍ଚାରେ ମାଲକାନଗିରିର ଯୁବ ଚାଷୀ ଚକ୍ରଧର: ମାଛ, କୁକୁଡ଼ା, ବତକ ଓ ଛେଳି ଚାଷ କରି ହେଉଛନ୍ତି ଲାଭବାନ

119

କନକ ବ୍ୟୁରୋ: କଥାରେ ଅଛି ଚାଷ କାମ ଜାହାର କେଡେ ସୁଖ ତାହାର । ତେବେ ସେଇ ଚାଷ କାମ ପ୍ରତି ଏବେ ଯୁବପିଢି ମୁହଁ ଫରେଇ ନେଉଥିବା ବେଳେ ଏବେ ସମନ୍ୱିତ ଚାଷ କରି ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲା ସଦର ମହକୁମାର ଯୁବ ଚାଷୀ ଚକ୍ରଧର ପଟ୍ଟନାୟକ । ମାଲକାନଗିରି ସିନ୍ଧ୍ରିମାଳ ପଂଚାୟତ ଅନ୍ତର୍ଗତ ଦାନିଗୁଡା ଠାରେ ପ୍ରଥମେ ୫ ଏକର ଜମିରେ ମାଛ ଚାଷ ଆରମ୍ଭ କରିଥିଲେ ଚକ୍ରଧର । ଆଉ ସେଇ ୫ ଏକର ଜମିରେ ଏବେ ମାଛ ସହ ବିଭିନ୍ନ ପ୍ରଜାତିର ବତକ, ଦେଶି କୁକୁଡା ଓ ଛେଳି ଚାଷ ଆରମ୍ଭ କରିଛନ୍ତି ଚକ୍ରଧର । ତେବେ ଚକ୍ରଧରଙ୍କ ଦାନିଗୁଡା ପୋଖରି ମାଛର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ସ୍ୱଚ୍ଛ ପରିବେଶ ସାଙ୍ଗକୁ ସଫା ପାଣିରେ ମାଛ ବଢୁଥିବାରୁ ଏହାର ସ୍ୱଦ ମଧ୍ୟ କିଛିଟା ଅଲଗା । ତେଣୁ ଦାନିଗୁଡା ପୋଖରିକୁ ଛୁଟି ଆସନ୍ତି ଗ୍ରାହକ ।

ରୋହି, ଭାକୁର, ମିରକାଳି, ରୁପଚାନ୍ଦ ସହ ମାଗୁର ଓ ପାଙ୍ଗାସ ପରି ୧୦ରୁ ଅଧିକ ପ୍ରଜାତିର ମାଛର ବହୁଳ ଚାଷ କରନ୍ତି ଚକ୍ରଧର । ତେଣୁ ସ୍ଥାନୀୟ ବ୍ୟବସାୟୀ ମାନେ ଦୈନିକ ଭିଡ ଜମାନ୍ତି ଦାନିଗୁଡା ଫାର୍ମରେ । ବିଶେଷ କରି ପାଙ୍ଗାସ ମାଛ ୧୦୦ ଟଙ୍କା ଏବଂ ରୋହି ଓ ଭାକୁର ମାଛକୁ ୧୫୦ ଟଙ୍କା ଦରରେ କିଣି ବଜାରରେ ସେଗୁଡିକୁ ୧୫୦ ଓ ୨୦୦ ଟଙ୍କା ଦରରେ ବିକି ୨ପଇସା ରୋଜଗାର କରନ୍ତି ବ୍ୟବସାୟୀ ।

ଯୁକ୍ତ ତିନି ପାଠ ପଢି ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଭାବେ ଚାକିରି କରୁ ଥିଲେ ଚକ୍ରଧର । ତେବେ ପ୍ରଥମେ ଗୋଟିଏ ପୋଖରିରେ ମାଛ ଛାଡିବା ପରେ ୨୦୨୨-୨୩ ମସିହାରେ ମତ୍ସ୍ୟ ପୋଖରି ଯୋଜନାରେ ୧୨ ଲକ୍ଷ ଟଙ୍କା ଅଟକଳ ମୁଲ୍ୟରେ ୮ ଟି ପୋଖରି ଖନନ କରିଥିଲେ ଏହି ଶିକ୍ଷିତ ଯୁବକ । ଏଥିପାଇଁ ସେ ପ୍ରାୟ ୫ଲକ୍ଷ ଟଙ୍କାର ସବସିଡି ପାଇଛନ୍ତି । ପରେ ପରେ ନିଜ ଖର୍ଚ୍ଚରେ କୁକୁଡା ଓ ବତକ ଚାଷ ଆରମ୍ଭ କରିବା ସହ ଚିଆଁ ଫୁଟେଇବା ଲାଗି ଇନକ୍ୟୁବେଟର ମଧ୍ୟ ସ୍ଥାପନ କରିଛନ୍ତି । ଆଉ ଏବେ ଛେଳି ପାଳନ ଲାଗି ୪୦ରୁ ଉଦ୍ଧ୍ୱର୍ ଛେଳି କିଣି ଏକ ସମନ୍ୱିତ ଚାଷୀ ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ଆଉ ଏହି ମିଶ୍ରିତ ଚାଷ ମାଧ୍ୟମରେ ସେ ମାସିକ ୪୦ରୁ ୫୦ ହଜାର ଟଙ୍କା ରୋଜଗାର କରିବା ସହ ୨୦୨୨-୨୩ ବର୍ଷ ଲାଗି ଜିଲ୍ଲାର ଶ୍ରେଷ୍ଠ ମତ୍ସ୍ୟ ଚାଷୀ ପୁରଷ୍କାର ପାଇଛନ୍ତି ଚକ୍ରଧର ।