ଦେଶରେ ସର୍ବୋଚ୍ଚ ସ୍ତରରେ ବେକାରୀ ହାର: ସିଏମଆଇଇର ରିପୋର୍ଟ ଅନୁସାରେ, ଡିସେମ୍ବରରେ ବେକାରୀ ହାର ୮.୩୦%କୁ ବୃଦ୍ଧି

116

କନକ ବ୍ୟୁରୋ : ଦେଶରେ ନିଯୁକ୍ତିକୁ ନେଇ ଏକ ଖରାପ ଖବର ସାମ୍ନାକୁ ଆସିଛି । ଦେଶରେ ବେକାରୀ ହାର ପୁଣିଥରେ ବୃଦ୍ଧି ପାଇଛି । ଗତ ଡିସେମ୍ବରରେ ବେକାର ହାର ୮ ଦଶମିକ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଯାହାକି ଗତ ୧୬ ମାସ ମଧ୍ୟରେ ସର୍ବାଧିକ । ଏହା ପୂର୍ବରୁ ନଭେମ୍ବରରେ ବେକାରୀ ହାର ୮ ପ୍ରତିଶତ ଥିଲା । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମୀ ବା ସିଏମଆଇଇ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ସିଏମଆଇଇ ରିପୋର୍ଟ ଅନୁସାରେ ସହରାଞ୍ଚଳରେ ବେକାରୀ ହାର ୧୦ ଦଶମିକ ୯ ପ୍ରତିଶତରେ ପହଞ୍ଚି ଯାଇଛି । ଏହା ଗତ ମାସରେ ୮ ଦଶମିକ ୯୬ ପ୍ରତିଶତ ଥିଲା ।

ସେହି ତୁଳନାରେ ଗ୍ରାମାଞ୍ଚଳରେ ବେକାରୀ ହାର ହ୍ରାସ ପାଇଛି । ଗ୍ରାମାଞ୍ଚଳରେ ବେକାର ହାର ୭ ଦଶମିକ ୫୫ ପ୍ରତିଶତରୁ ୭ ଦଶମିକ ୪୪ ପ୍ରତିଶତକୁ କମିଛି । ରିପୋର୍ଟ ଅନୁସାରେ, ହରିୟାଣାରେ ବେକାରୀ ହାର ସର୍ବାଧିକ ୩୭ ଦଶମିକ ୪ ପ୍ରତିଶତ ରହିଛି । ଏହା ପଛରେ ରହିଛି ରାଜସ୍ଥାନ । ରାଜସ୍ଥାନରେ ବେକାରୀ ହାର ୨୮ ଦଶମିକ ୫ ପ୍ରତିଶତ, ଦିଲ୍ଲୀରେ ୨୦ ଦଶମିକ ୮ ପ୍ରତିଶତ, ବିହାରରେ ୧୯ ଦଶମିକ ୧ ପ୍ରତିଶତ, ତ୍ରିପୁରାରେ ୧୪ ଦଶମିକ ୩ ପ୍ରତିଶତ, ସିକ୍କିମରେ ୧୩ ଦଶମିକ ୬ ପ୍ରତିଶତ ରହିଛି । ଅନ୍ୟପକ୍ଷରେ ଓଡ଼ିଶାରେ ଡିସେମ୍ବର ମାସରେ ବେକାରୀ ହାର୍ ଶୂନ ଦଶମିକ ୯ ପ୍ରତିଶତ ରହିଛି ।

ଗୁଜରାଟରେ ୨ ଦଶମିକ ୩ ପ୍ରତିଶତ, ମେଘାଳୟରେ ୨ ଦଶମିକ ୭ ପ୍ରତିଶତ, ମହାରାଷ୍ଟ୍ରରେ ୩ ଦଶମିକ ୧ ପ୍ରତିଶତ ଏବଂ ଛତିଶଗଡ଼ରେ ୩ ଦଶମିକ ୪ ପ୍ରତିଶତ ବେକାରୀ ରହିଛନ୍ତି । ଏ ନେଇ ସିଏମଆଇଇର ମ୍ୟାନେଜିଂ ଡାଇରେକ୍ଟର ମହେଶ ବ୍ୟାସ କହିଛନ୍ତି ଯେ ବେକାରୀ ହାର ବଢ଼ିବା ସେତେଟା ଖରାପ ନୁହେଁ । କାରଣ ଏହା ପୂର୍ବରୁ ଭାରତରେ ଶ୍ରମିକ ଅଂଶଗ୍ରହଣ ହାରରେ ଭଲ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା । ଡିସେମ୍ବରରେ ଏହା ୪୦ ଦଶମିକ ୪୮ ପ୍ରତିଶତରେ ପହଞ୍ଚିଛି । ଯାହା ୧୨ ମାସରେ ସର୍ବାଧିକ ବୋଲି ଜଣାପଡ଼ିଛି ।