ଆଜି ଆସିବ ବିମୁଦ୍ରୀକରଣ ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି : ବିଭିନ୍ନ ପିଟିସନ୍ ଉପରେ ୫ ଜଣିଆ ଖଣ୍ଡପୀଠ ଶୁଣାଇବେ ରାୟ

114

କନକ ବ୍ୟୁରୋ : ଆଜି ଆସିବ ବିମୁଦ୍ରୀକରଣ ଉପରେ ସୁପ୍ରିମକୋର୍ଟଙ୍କ ରାୟ । ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇବେ । ୬ ବର୍ଷ ତଳେ ଅର୍ଥାତ୍ ୨୦୧୬ ମସିହା ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ଦେଶରେ ପ୍ରଚଳିତ ୫୦୦ ଓ ୧ହଜାର ଟଙ୍କିଆ ନୋଟ୍ ଅଚଳ କରିବାକୁ ଘୋଷଣା କରିଥିଲେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଗତ ୫୮ଟି ପିଟିସନର ଏକାଠି ଶୁଣାଣି କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।

ବିମୁଦ୍ରୀକରଣ ସଂକ୍ରାନ୍ତ ସମସ୍ତ ତଥ୍ୟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଗତ ଡିସେମ୍ବର ୭ ତାରିଖରେ କେନ୍ଦ୍ର ସରକାର ଓ ଆରବିଆଇକୁ ନିର୍ଦ୍ଦେଶ ଦେବା ସହ ରାୟ ସଂରକ୍ଷିତ ରଖିଥିଲେ । କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ଘୋଷଣାକୁ ବିଭିନ୍ନ ରାଜନୈତିକ ଦଳ ଓ ଅର୍ଥନୀତିଜ୍ଞ ବିରୋଧ କରିଥିଲେ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ କଳାଧନ ବିରୋଧରେ ଏକ ବଡ଼ ପଦକ୍ଷେପ ବୋଲି ଦର୍ଶାଇଥିଲେ । ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ପରେ ସାରା ଦେଶରେ ଚହଳ ପଡିଯାଇଥିଲା । ବ୍ୟାଙ୍କ ଆଗରେ ଲୋକମାନଙ୍କୁ ଲମ୍ବା ଧାଡିରେ ଛିଡା ହେବା ପାଇଁ ପଡିଥଲା । ଆଉ କାରବାର ପ୍ରଭାବିତ ହୋଇଥିଲା ।