ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ବ୍ରହ୍ମପୁର ଲିଙ୍କ୍ ମାମଲା ! ଜବତ ସିମ୍ ବକ୍ସ ନେଇ ୪ଅଭିଯୁକ୍ତଙ୍କୁ କ୍ରାଇମବ୍ରାଂଚର ପଚରାଉଚରା

26

କନକ ବ୍ୟୁରୋ : ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ବ୍ରହ୍ମପୁର ଲିଙ୍କ ଘଟଣାରେ ଗିରଫ ୪ଅଭିଯୁକ୍ତଙ୍କୁ ଜେରା କରୁଛି ଏସଟିଏଫ । ୪ଅଭିଯୁକ୍ତଙ୍କୁ ୪ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ସେମାନଙ୍କଠାରୁ ଜବତ ସିମ୍ ବକ୍ସ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଂଚ । ସିମ୍ ଗୁଡିକ ଓଡ଼ିଶାର ବିଭିନ୍ନ ଅଂଚଳରୁ ସଂଗ୍ରହ କରାଯାଇଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଂଚ ସ୍ପେଶାଲ ଡିଜି ବି.କେ ଶର୍ମା । ଗତ କିଛି ଦିନ ତଳେ ବ୍ରହ୍ମପୁରରେ ଏଭଳି ଏକ କାରବାର ଚାଲିଥିବା ଜଣାପଡିଥିଲା । ବ୍ରହ୍ମପୁର ନିକଟସ୍ଥ ଆମ୍ବପୁଆରେ ଏକ ରାକେଟ୍ ବେଆଇନ୍ ଭାବେ ସମାନ୍ତରାଳ ଟେଲିଫୋନ ଏକ୍ସଚେଂଜ ଚଳାଇଥିଲେ ।

ଏହି ରାକେଟର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୫ଟି ସିମ୍ ବକ୍ସ ଜବତ କରିଥିଲା ପୁଲିସ । ସିମ୍ ବକ୍ସ ନାମକ ଏକ ବ୍ୟବସ୍ଥା ମାଧ୍ୟମରେ ଏହି ସମାନ୍ତରାଳ ଟେଲିଫୋନ ଏକ୍ସଚେଂଜ ପରିଚାଳନା କରାଯାଉଥିଲା । ଆଉ ଏହି ସିମ୍ ବକ୍ସ ବ୍ୟବସ୍ଥା ମାଧ୍ୟମରେ ଗ୍ୟାଙ୍ଗଷ୍ଟାର ଓ ଆତଙ୍କବାଦୀମାନେ ଟେଲିଫୋନ କରୁଥିଲେ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିଲା । ମୁମ୍ବାଇ ସ୍ଥିତ ଗ୍ୟାଙ୍ଗଷ୍ଟାର ଛୋଟା ରାଜନର ଜଣେ ପ୍ରମୁଖ ସହଯୋଗୀ ସୁରେଶ ପୂଜାରୀ ବ୍ରହ୍ମପୁରର ଏହି ସିମ୍ ବକ୍ସ ମାଧ୍ୟମରେ ମୁମ୍ବାଇ ସ୍ଥିତ ଜଣେ ବ୍ୟବସାୟୀଙ୍କୁ ୨ କୋଟି ଟଙ୍କାର ବଟି ମାଗିଥିଲେ । ମୁମ୍ବାଇ ପୁଲିସ ଏହି ମାମଲାରେ ଏକ କେସ୍ ଦାୟର କରିଥିଲା ।