ଜଳ ନୁହେଁ ଜହର ପିଉଛନ୍ତି ଲୋକେ! ସର୍ଭେ ରିପୋର୍ଟ ସାରା ଦେଶ ପାଇଁ ସତର୍କ ଘଣ୍ଟି ।

613

କନକ ବ୍ୟୁରୋ: ଜଳ ନୁହେଁ ଜହର ପିଉଛନ୍ତି ଦେଶବାସୀ । ଏକଥା ସ୍ୱୀକାର କରିଛନ୍ତି ଖୋଦ୍ ସରକାର । ରାଜ୍ୟସଭାର ପ୍ରଶ୍ନୋତ୍ତର ସମୟରେ ଏହି ତଥ୍ୟ ପ୍ରକାଶ କରିଛନ୍ତି ସରକାର । ରିପୋର୍ଟ ମୁତାବକ, ୨୫ ରାଜ୍ୟର ୨୦୯ ଜିଲ୍ଲାରେ ଜଳ ଜହର ପାଲଟିଛି । କାରଣ ଭୂତଳ ଜଳ ପରୀକ୍ଷଣରୁ ଯାହା ଜଣାପଡିଛି , ଭୂତଳ ଜଳରୁ ମିଳୁଥିବା ଜଳରେ ଆର୍ସେନିକ୍, , ଆଇରନ୍, ସୀସା, ୟୁରେନିୟମ୍, କ୍ରୋମିୟମ, କୈଡମିୟମ, ପରି ଧାତବ ନିର୍ଦ୍ଧାରିତ ମାତ୍ରାଠାରୁ ଅଧିକ ପରିମାଣରେ ରହିଥିବାରୁ ପାନୀୟ ଜଳ ଜହର ହୋଇସାରିଛି ।

ଜୀବନ ଧାରଣ ପାଇଁ ଜଳ ନିତାନ୍ତ ଜରୁରୀ । କାରଣ ମନୁଷ୍୍ୟ ଶରୀରରେ ୬୬% ଜଳୀୟ ଅଂଶ ରହିଛି । ଏଥିରୁ ଆମ ମସ୍ତିଷ୍କରେ ୭୫%, ଅସ୍ଥିରେ ୨୫%, ଓ ରକ୍ତରେ ୮୩% ଜଳୀୟ ଅଂଶ ରହିଛି । ଜଣେ ବ୍ୟକ୍ତି ବିନା ଖାଦ୍ୟରେ ମାସକରୁ ଅଧିକ ସମୟ ବଞ୍ଚିଯାଇପାରେ । କିନ୍ତୁ ବିନା ପାଣିରେ ସପ୍ତାହରୁ ଅଧିକ ସମୟ ତିଷ୍ଠିବା କଷ୍ଟକର । ପୁରା ଜୀବନ କାଳରେ ପାଖାପାଖି ୭୫ ହଜାର ଲିଟରରୁ ଅଧିକ ପାଣି ପିଇଥାଏ । ସୁସ୍ଥ ରହିବାକୁ ହେଲେ ଦିନକୁ ଅନ୍ତତଃ ୨ ଲିଟର ପାଣି ପିଇବା ନିହାତି ଜରୁରୀ । କିନ୍ତୁ ସତରେ କ’ଣ ଆଜିକା ଦିନକରେ ପାଣି ପିଇଲେ ଜଣେ ସୁସ୍ଥ ରହିପାରିବ? ସରକାରଙ୍କ ରିପୋର୍ଟ ଅନୁସାରେ ଏହାର ଉତ୍ତର ହେଉଛି ‘ନା’ ।

ରାଜ୍ୟସଭାରେ ସରକାରଙ୍କ ପକ୍ଷରୁ ପାନୀୟ ଜଳକୁ ନେଇ ଯେଉଁ ରିପୋର୍ଟ ଉପସ୍ଥାପନ କରାଯାଇଛି ତାହା ଜାଣିଲେ ହୋସ୍ ଉଡିଯିବ ।

କ’ଣ କହୁଛି ସର୍ଭେ ରିପୋର୍ଟ?
୨୫ ରାଜ୍ୟର ୨୦୯ ଜିଲ୍ଲାରେ ଭୂତଳ ଜଳରେ ଆର୍ସେନିକର ମାତ୍ରା ଲିଟର ପିଛା ପାଣିରେ ୦.୦୧ ମିଲିଗ୍ରାମରୁ ଅଧିକ ରହିଛି
୨୯ ରାଜ୍ୟର ୪୯୧ ଜିଲ୍ଲାରେ ଭୂତଳ ଜଳରେ(ଲିଟର ପିଛା) ଆଇରନର ମାତ୍ରା ୧ ମିଲିଗ୍ରାମରୁ ଅଧିକ ।
୨୧ ରାଜ୍ୟର ୧୭୬ ଜିଲ୍ଲାରେ ଭୂତଳ ଜଳରେ ରହିଛି ସୀସା
୧୧ ରାଜ୍ୟର ୨୯ ଜିଲ୍ଲାର ଭୂତଳ ଜଳରେ କୈଡମିୟମର ମାତ୍ରା ୦.୦୦୩ ମିଲିଗ୍ରାମରୁ ଅଧିକ ରହିଛି ।
୧୬ ରାଜ୍ୟର ୬୨ ଜିଲ୍ଲାରେ ଗ୍ରାଉଣ୍ଡ ୱାଟରରେ କୋମିୟମର ମାତ୍ରା ୦.୦୫ ମିଲିଗ୍ରାମରୁ ଅଧିକ
୧୮ ରାଜ୍ୟର ୧୫୨ ଜିଲ୍ଲାର ଭୂତଳ ଜଳରେ ୟୁରେନିୟମର ମାତ୍ରା ୦.୦୩ ମିଲିଗ୍ରାମରୁ ଅଧିକ ।

ଜଳ ଶକ୍ତି ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶର ୮୦% ରୁ ଅଧିକ ଲୋକଙ୍କୁ ପାନୀୟ ଜଳ ଭୂତଳ ଜଳରୁ ହିଁ ମିଳିଥାଏ । ଏହାର ଅର୍ଥ ଦେଶର ୮୦% ପ୍ରତିଶତରୁ ଅଧିକ ଲୋକେ ଜଳ ବଦଳରେ ଜହର ପିଇ ରୋଗକୁ ବରଣ କରୁଛନ୍ତି । ପାଣିରେ ଏସବୁ ଧାତବର ମାତ୍ରା ରହିବା ଅର୍ଥ ଜଳ ବିଷାକ୍ତ ହେବା ଏବଂ ଏହାକୁ ପିଇଲେ ଶରୀରରେ ଚର୍ମ ରୋଗଠାରୁ ଆରମ୍ଭ କରି ଅନ୍ତଃନଳିରେ ସମସ୍ୟା, ଚର୍ମରୋଗ, ଚର୍ମ କ୍ୟାନ୍ସର, କିଡନୀ ଇନଫେକ୍ସନ୍, ଟ୍ୟୁମର , ସ୍ନାୟୁଜନିତ ରୋଗ ଦେଖାଯିବାର ଯଥେଷ୍ଟ ସମ୍ଭାବନା ରହିଥାଏ ।

ତେବେ ପାଣିର ବିଷୟ ପ୍ରତି ରାଜ୍ୟର ନିଜସ୍ୱ ବିଷୟ । ତେଣୁ ନିଜ ରାଜ୍ୟବାସୀଙ୍କୁ ଶୁଦ୍ଧ ପାଣି ଯୋଗାଇବା ପ୍ରତି ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି କେନ୍ଦ୍ର ସରକାର କହିଛନ୍ତି ।