ଋୁଷ-ୟୁକ୍ରେନ ଯୁଦ୍ଧର ଭିତରେ ସବୁଠୁ ବଡ଼ ଖବର । ୟୁକ୍ରେନର ଏୟାର ଷ୍ଟ୍ରାଇକରେ ୬୩ ରୁଷୀୟ ସୈନ୍ୟ ମୃତ

124

କନକ ବ୍ୟୁରୋ : ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ମହାଯୁଦ୍ଧ ଭିତରେ ୟୁକ୍ରେନର ବଡ ଆକ୍ରମଣ । ରୁଷିଆ ଉପରେ ଏୟାର ଷ୍ଟ୍ରାଇକ କରିବାରୁ ୬୩ ଜଣ ରୁଷ ସୈନ୍ୟଙ୍କ ମୃତ୍ୟୁ ହୋଇଛି । ୧୧ ମାସରୁ ଅଧିକ ସମୟ ହେଲା ଜାରି ରହିଥିବା ଏହି ଯୁଦ୍ଧ ଭିତରେ ୟୁକ୍ରେନ ଏଥର ସବୁଠୁ ବଡ ଆକ୍ରମଣ କରିଛି । ଆମେରିକା ଦେଇଥିବା ଶକ୍ତିଶାଳୀ ଅସ୍ତ୍ରକୁ ପ୍ରୟୋଗ କରି ରୁଷ ଉପରେ ନିଜ ପ୍ରତିଶୋଧ ନେଇଛି ୟୁକ୍ରେନ । ୟୁକ୍ରେନ ପକ୍ଷରୁ ଆକ୍ରମଣ କରାଯାଇଥିବା ନେଇ ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି । ରୁଷ ପ୍ରତିରକ୍ଷା ମନ୍ତ୍ରାଳୟର କହିବାନୁଯାୟୀ, ୟୁକ୍ରେନ ଦ୍ୱାରା ମୋଟ୍ ୬ଟି ମିସାଇଲ ମାଡ ହୋଇଥିଲା, ଏଥିମଧ୍ୟରୁ ରୁଷ ସୈନ୍ୟ ୨ଟିକୁ ଧ୍ୱଂସ କରିବାରେ ସକ୍ଷମ ହୋଇଛନ୍ତି । ବାକି ୪ଟି ମିସାଇଲ ରୁଷର ଏକ ଅସ୍ଥାୟୀ ସେନା ଛାଉଣୀ ଉପରେ ମାଡ ହେବା ଫଳରେ ୬୩ ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଛି ।

ରୁଷ ଅକ୍ତିଆର କରି ରଖିଥିବା ୟୁକ୍ରେନ ମୁକିବକା ସହରରେ ଏହି ମିସାଇଲ ମାଡ କରିିଛି ୟୁକ୍ରେନ । ଏହା ପୂର୍ବରୁ ନୂଆବର୍ଷର ଠିକ ପୂର୍ବଦିନ ସନ୍ଧ୍ୟାରୁ କିଭ୍ ଉପରେ ରୁଷ ଆକ୍ରମଣ କରିଥିଲା । ରୁଷ ପକ୍ଷରୁ କିଭ ଉପରେ ୪୦ରୁ ଅଧିକ ଡ୍ରୋନ ମାଡ କରାଯାଇଥିଲା, ଯେଉଁଥିରୁ କିଛି ଡ୍ରୋନକୁ ଧ୍ୱଂସ କରିଥିଲା ୟୁକ୍ରେନ ସେନା । ଏହି ଘଟଣାକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷ ଉପରେ ଉର୍ଜା ଆତଙ୍କବାଦର ଅଭିଯୋଗ ଲଗାଇଥିଲେ । ରବିବାର ଲୁହାଁସ୍କରେ ରୁଷ ପକ୍ଷରୁ ହୋଇଥିବା ଆକ୍ରମଣରେ ୟୁକ୍ରେନର ୫୦ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା । ଏହାର ଦିନକ ପରେ ରୁଷ ଉପରେ ପାଲଟା ଆକ୍ରମଣ କରି ୬୩ ଜଣ ରୁଷ ସୈନ୍ୟଙ୍କ ପ୍ରାଣ ନେଇଛି ୟୁକ୍ରେନ ।

ଆମେରିକା ଯୋଗାଇଦେଉଥିବା ଅସ୍ତ୍ରଶସ୍ତ୍ର ବଳରେ ଏବେ ଶକ୍ତିଶାଳୀ ହୋଇଉଠିଛି ୟୁକ୍ରେନ । ଏହି ଶକ୍ତିଶାଳୀ ହତିୟାରକୁ ପ୍ରୟୋଗ କରି ୟୁକ୍ରେନ ଏବେ ରୁଷ ସହ କଡା ମୁକାବିଲା କରୁଛି ।