ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲାରେ ଆସିଲା ଅଞ୍ଜଳୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ, ଯୌନାଙ୍ଗରେ କୌଣସି କ୍ଷତ ନଥିବା ରିପୋର୍ଟରେ ପ୍ରକାଶ

210

କନକ ବ୍ୟୁରୋ : ଦିଲ୍ଲୀ ସୁଲତାନପୁରୀ ହୋଇଥିବା ଦୁର୍ଘଟଣା ମାମଲାରେ ଆସିଲା ଅଞ୍ଜଳି ସିଂଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଏଥିରେ ତାଙ୍କ ଯୌନାଙ୍ଗରେ କୌଣସି କ୍ଷତ ନ ଥିବା ରିପୋର୍ଟରେ ପ୍ରକାଶ ପାଇଛି । ତେଣୁ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ । ପୂର୍ବରୂ ପୋଲିସ ମଧ୍ୟ ଏହାକୁ କେବଳ ଦୁର୍ଘଟଣା ବୋଲି କହିଥିଲା । ହେଲେ ପରିବାର ଲୋକେ ତାଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଉଥିବା ନେଇ ସନ୍ଦେହ କରୁଥିଲେ । ସେପଟେ ଶବ ବ୍ୟବଚ୍ଛେଦ ପରେ କଡାସୁରକ୍ଷା ମଧ୍ୟରେ ପିଡୀତାଙ୍କ ମୃତଦେହ ଘରେ ପହଂଚିଛି । ଏହି ସମୟରେ ସମ୍ପର୍କୀୟ ଓ ସ୍ଥାନୀୟ ବାସିନ୍ଦା ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ।

ସେପଟେ ଏହି ଘଟଣାର ଆଉ ଏକ ନୂଆ ମୋଡ ସାମ୍ନାକୁ ଆସିଛି । ଦୁର୍ଘଟଣା ଦିନ ଅଞ୍ଜଳି ଏକା ସ୍କୁଟିରେ ନଥିଲେ । ତାଙ୍କ ସହ ଜଣେ ଝିଅ ମଧ୍ୟ ଥିଲେ । ପୋଲିସ ଉକ୍ତ ଯୁବତୀଙ୍କ ବୟାନ୍ ରେକର୍ଡ କରିଛି । ବୟାନ୍ ମୁତାବକ ଘଟଣା ଦିନ ହୋଟେଲରୁ ବାହାରିବା ପରେ ପ୍ରଥମେ ସ୍କୁଟି ସାଙ୍ଗ ଜଣକ ଚଳାଉଥିବା ବେଳେ ଅଞ୍ଜଳି ସ୍କୁଟି ପଛରେ ବସିଥିଲେ, କିଛି ବାଟ ଯିବା ପରେ ଅଞ୍ଜଳି ସେହି ସ୍କୁଟି ଚଳାଇଥିଲେ । ଯେତେବେଳେ ଦୁର୍ଘଟଣା ଘଟିଲା, କାରଟି ସ୍କୁଟିକୁ ଧକ୍କା ଦେଲା ସେତେବେଳେ କାର୍ ନିକଟକୁ ଅଞ୍ଜଳି ଝିଟକି ପଡିଥିବା ବେଳେ ସାଙ୍ଗ ଜଣକ ଆରପାଶ୍ୱର୍କୁ ପଡିଯାଇଥିଲେ । ଏହାପରେ କାର ଏସ୍କେଲରେ ଫଶି ରହିଥିଲା ଅଞ୍ଜଳିଙ୍କ ଗୋଡ । ଯାହାଫଳରେ ଦୁବୃର୍ତ ମାନେ ତାଙ୍କୁ ଦୀର୍ଘ ୧୨ କିଲୋମିଟର ଯାଏଁ ଘୋଷଡି ନେଇଥିଲା ।

ପୋଲିସ ଏ ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ନୂଆବର୍ଷ ଦିନ ମଦ ପିଇ ନିଶାସକ୍ତ ଅବସ୍ଥାରେ ଥିବା ଏଭଳି ଦୁର୍ଘଟଣା ଘଟିଥିବା ନେଇ କହିଛନ୍ତି ଅଭିଯୁକ୍ତ । ସ୍କୁଟି ସହ କାର ମୁହାଁମୁହିଁ ଧକ୍କା ହେବାପରେ ଗାଡି ବ୍ୟାକ୍ କରି ସେମାନେ ଚାଲିଯାଇଥିଲେ, ହେଲେ ଗାଡି ତଳେ ଅଞ୍ଜଳି ଫଶିରହିଥିବା କଥା ସେମାନେ ଜାଣିନଥିବା କହିଛନ୍ତି । କିଛି ବାଟ ଯିବା ପରେ ଗାଡି ଯେତେବେଳେ ୟୁ-ଟର୍ଣ୍ଣ ନେଲା, ସେେତେବେଳେ ଯୁବତୀଙ୍କ ହାତ ଦେଖିବାକୁ ପାଇଥିଲେ ଜଣେ ଅଭିଯୁକ୍ତ । ଏହାପରେ ଅଞ୍ଜଳିଙ୍କ ମୃତ୍ୟୁ ହୋଇସାରିଥିବା ଦେଖି ଭୟରେ ସମସ୍ତେ ସେଠାରୁ ଫେରାର ହୋଇଯାଇଥିଲେ ।