ୟୁକ୍ରେନର ରାଜଧାନୀ କିଭରୁ ମିଳୁଛି କୁଢ କୁଢ ମୃତଦେହ : ଋଷ ସେନା ଚାଲିଗଲା ପରେ ମିଳିଲା ୪୦୦ରୁ ଅଧିକ ଶବ, ଫରେନସିକ ଟିମ କରୁଛନ୍ତି ଯାଂଚ

ଜେଲେନସ୍କି କହିଲେ, ଗଣହତ୍ୟାର ତାଣ୍ଡବ ରଚିଛି ଋଷ ସେନା

301

କନକ ବ୍ୟୁରୋ : ୟୁକ୍ରେନ ରାଜଧାନୀ କିଭରୁ ମିଳୁଛି କୁଢ଼ କୁଢ଼ ମୃତଦେହ । କିଭର ଯେଉଁ ଅଂଚଳରୁ ଋଷ ତା’ର ସେନାକୁ ଅପସାରଣ କରିଛି, ସେହି ଅଂଚଳରୁ ୪୦୦ରୁ ଅଧିକ ସାଧାରଣ ଲୋକଙ୍କ ମୃତଦେହ ଉଦ୍ଧାର କରିଛି ୟୁକ୍ରେନ ସେନା । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ରାଜଧାନୀ କିଭରେ ଗଣହତ୍ୟାର ତାଣ୍ଡବ ଲୀଳା ରଚିଛି ଋଷ ସେନା । ୟୁକ୍ରେନର ଫରେନ୍ସିକ୍ ଟିମ୍ ମୃତଦେହକୁ ଯାଂଚ କରୁଛି ।

୫ ସପ୍ତାହରୁ ଅଧିକ ଦିନ ଧରି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ବେସାମରିକ ଲୋକଙ୍କ ସବୁଠୁ ଅଧିକ ମୃତଦେହ କିଭରୁ ମିଳିଥିବା କୁହାଯାଉଛି । ଋଷ ସେନା ରାଜଧାନୀ କିଭକୁ ଦଖଲ କରି ପାରିନଥିଲେ ମଧ୍ୟ ଯେଉଁ ଅଂଚଳକୁ ଦଖଲ କରିଥିଲା, ସେହି ଅଂଚଳରେ ଧ୍ୱଂସର ଲୀଳା ଦେଖିବାକୁ ମିଳିଛି । କିଭ୍ ଅଂଚଳରୁ ଋଷ ସେନା ପ୍ରତ୍ୟାହାର କରି ପୂର୍ବ ୟୁକ୍ରେନରେ ଅଧିକ ଫୋକସ କରିଥିବା ବେଳେ ସେହି ଅଂଚଳକୁ ନିଜ ଦଖଲକୁ ନେଇ ୟୁକ୍ରେନ । ଏପଟେ ୟୁରୋପୀୟ ରାଷ୍ଟ୍ର ଋଷ ବିରୋଧରେ କଟକଣାକୁ ଆହୁରି କଡ଼ା କରିଛନ୍ତି ।