ପାକିସ୍ତାନର ରାଜନୈତିକ ଅସ୍ଥିରତା ପ୍ରସଙ୍ଗ : ରାୟ ଶୁଣାଇପାରନ୍ତି ପାକ ସୁପ୍ରିମକୋର୍ଟ, ପକ୍ଷ ରଖିବାକୁ ନିର୍ଦ୍ଦେଶ

ସେପଟେ ଇମ୍ରାନ କହିଲେ ତାଙ୍କୁ ହଟାଇବା ପଛରେ ରହିଛି ଆମେରିକାର ହାତ

101

କନକ ବ୍ୟୁରୋ : ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ପ୍ରସଙ୍ଗରେ ଆଜି ରାୟ ଶୁଣାଇପାରନ୍ତି ପାକ୍ ସୁପ୍ରିମକୋର୍ଟ । ପାକିସ୍ତାନ ସଂସଦ ଭଙ୍ଗ କରିବା ଲାଗି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସାମ୍ବିଧାନିକ କି ନୁହେଁ ସେ ସଂପର୍କରେ କୋର୍ଟ ରାୟ ଦେବେ ।

ଇମ୍ରାନଙ୍କୁ ପଦରୁ ହଟାଇବା ପାଇଁ ବିରୋଧୀ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ହେଲେ ଉପବାଚସ୍ପତି ଏହାକୁ ଖାରଜ କରିଦେଇଥିଲେ । ପରେ ବିରୋଧୀ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ରବିବାର ସଂସଦରେ ଘଟିଥିବା ରାଜନୈତିକ ଘଟଣାକ୍ରମକୁ ନେଇ ନିଜ ଆଡୁ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିଛନ୍ତି । ଏହାଛଡା ପକ୍ଷ ରଖିବାକୁ ସବୁ ରାଜନୈତିକ ଦଳ ସମେତ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ନେସନାଲ ଆସେମ୍ବ୍ଲିର ବାଚସ୍ପତି ଓ ଉପବାଚସ୍ପତିଙ୍କୁ ନୋଟିସ ପଠାଯାଇଛି ଏବେ ପାକିସ୍ତାନର ବିରୋଧୀ ସାଂସଦ ସଂସଦ ବାହାରେ ଗଣ ଆନ୍ଦୋଳନ କରୁଛନ୍ତି ।

ଅନ୍ୟପଟେ ଇମ୍ରାନଙ୍କ ଦଳର ନେତା କହିଛନ୍ତି, ବିରୋଧୀ ଦଳ ନିର୍ବାଚନକୁ ଭୟ କରୁଛନ୍ତି । ଏସବୁ ଭିତରେ ଇମ୍ରାନଙ୍କ ବଡ ଅଭିଯୋଗ ଯେ ତାଙ୍କୁ ପଦରୁ ହଟାଇବା ପାଇଁ ଷଡଯନ୍ତ୍ର କରିଛି ଆମେରିକା । ରୁଷ ୟୁକ୍ରେନ ଯୁଦ୍ଧ ପରିସ୍ଥିତି ଭିତରେ ତାଙ୍କର ରୁଷ ଗସ୍ତକୁ ନେଇ କ୍ଷୁବ୍ଧ ଆମେରିକା ବିରୋଧୀଙ୍କୁ ଆୟୁଧ କରି ତାଙ୍କୁ ପଦରୁ ହଟାଇବା ପାଇଁ ଚାହୁଁଛି ।

ଇମ୍ରାନ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବର ଭୋଟ ହେବ ବୋଲି ବିରୋଧୀ ଭାବିଥିଲେ । କିନ୍ତୁ ଉପବାଚସ୍ପତି ଏପରି ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି । ଏହାପରେ ଇମ୍ରାନଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ସଂସଦ ଭଙ୍ଗ କରି ତିନି ମାସ ଭିତରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିରୋଧୀ ଏହାକୁ ଅଗାଣତାନ୍ତ୍ରିକ ବୋଲି କହିଛନ୍ତି ।

ସେପଟେ ଇମ୍ରାନ ଖାନ ପାକିସ୍ତାନର ଆଉ ପ୍ରଧାନମନ୍ତ୍ରୀ ନାହାନ୍ତି ବୋଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସେଠାକାର ଅତିରିକ୍ତ କ୍ୟାବିନେଟ ସଚିବ । ସେ କହିଛନ୍ତି, ଇମ୍ରାନଙ୍କୁ କାର୍ଯ୍ୟଭାରରୁ ମୁକ୍ତ କରାଯାଇଛି । ପାକିସ୍ତାନରେ ସେନାର କ୍ଷମତା ବହୁତ ଅଧିକ । ଏପରି ସ୍ଥିତିରେ ସେନା ଇମ୍ରାନଙ୍କ ବିରୋଧରେ ନିରବ ରହିବାକୁ ନେଇ ମଧ୍ୟ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।