ଉଦ୍ଧବ ଠାକରେଙ୍କୁ ବଡ ଝଟକା, ଠାଣେ ନଗରନିଗମର ୬୭ କାଉଁସିଲରଙ୍କ ମଧ୍ୟରୁ ୬୬ ଜଣ ସିନ୍ଦେ ଗ୍ରୁପରେ ସାମିଲ

259

କନକ ବ୍ୟୁରୋ : ମହାରାଷ୍ଟ୍ରରେ କ୍ଷମତାରୁ ହଟିବା ପରେ ଉଦ୍ଧବ ଠାକରେଙ୍କୁ ପୁଣି ଏକ ବଡ ଝଟକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଠାଣେ ନଗର ନିଗମ ଏବେ ଶିବସେନା ହାତରୁ ପଳାଇଛି । ଏଠାରେ ଥିବା ୬୭ ଜଣ କାଉଁସିଲଙ୍କ ମଧ୍ୟରୁ ୬୬ ଜଣ କାଉଁସିଲର ଏକନାଥ ସିନ୍ଦେ ଗ୍ରୁପରେ ସାମିଲ ହୋଇଛନ୍ତି ।

ଏଭଳି ଘଟଣାକୁ ଶିବସେନା ପାଇଁ ଏକ ବଡ ଝଟକା ବୋଲି କୁହାଯାଉଛି । କୁହାଯାଉଛି କି ସମସ୍ତ ୬୬ ଜଣ କାଉଁସିଲର ପ୍ରଥମେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ   । ଏହାପରେ ସେମାନେ ବିଧିବଦ୍ଧ ଭାବେ ସିନ୍ଦେ ଗ୍ରୁପରେ ସାମିଲ ହୋଇଛନ୍ତି । କହିରଖୁ କି ମହାରାଷ୍ଟ୍ରରେ ମୁମ୍ବାଇ ନଗର ନିଗମ ପରେ ଠାଣେ ହେଉଛି ଦ୍ୱିତୀୟ ବୃହତ ନଗର ନିଗମ   ।

ଏକନାଥ ସିନ୍ଦେ ତାଙ୍କ ରାଜନୈତିକ କ୍ୟାରିଅର ପ୍ରଥମେ ଏହି ଠାଣେ ନଗର ନିଗମରୁ ଆରମ୍ଭ କରିଥିଲେ । ସେ ୧୯୯୭ ମସିହାରେ ଠାଣେ ନଗର ନିଗମରୁ କାଉଁସିଲର ଭାବେ ବିଜୟୀ ହୋଇଥିଲେ । ଏହାପରେ ୨୦୦୪ ରେ ସେ ଠାଣେ ବିଧାନସଭା ଆସନରୁ ବିଧାୟକ ଭାବେ ଲଢି ବିଜୟୀ ହୋଇଥିଲେ ।

କହିରଖୁ କି ଏକନାଥ ସିନ୍ଦେ ମହାରାଷ୍ଟ୍ର ବିଧାନପରିଷଦ ନିର୍ବାଚନ ପରେ ଦଳ ଭିତରେ ବିଦ୍ରୋହ ଆରମ୍ଭ କରିଥିଲେ । ଏହାପରେ ଶିବସେନାର ଅସନ୍ତୁଷ୍ଟ ବିଧାୟକଙ୍କ ସହ ସେ ସୁରଟ ପଳାଇଥିଲେ   । ସେଠାରୁ ଗୌହାଟୀ ଯାଇ ବିଜେପି ସହ ମେଣ୍ଟରେ ସରକାର ଗଠନ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ ଓ ସଫଳ ମଧ୍ୟ ହୋଇଥିଲେ ।