ଭୁଲ ରକ୍ତ ଦେବାରୁ ଚାଲିଗଲା ୨ଜଣଙ୍କ ଜୀବନ: ଏ ପଜିଟିଭ ରୋଗୀଙ୍କ ଦିଆଯାଇଥିଲା ବି ପଜିଟିଭ ରକ୍ତ 

139

କନକ ବ୍ୟୁରୋ: ଭୁଲ ରକ୍ତ ପାଇଁ ଚାଲିଯାଇଛି ଜୀବନ । ଗୋଟିଏ ମାସ ଭିତରେ ୨ ଜଣଙ୍କ ମୃତ୍ୟୁ ପରେ କାଠଗଡାରେ ସ୍ୱାସ୍ଥ୍ୟସେବା । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବେପରୁଆ ସ୍ୱାସ୍ଥ୍ୟସେବା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏ ପଜିଟିଭ ବ୍ଲଡ ଗ୍ରୁପ୍ ରୋଗୀଙ୍କୁ ବି ପଜିଟିଭ ବ୍ଲଡ ଦିଆଯିବାରୁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଏବି ପଜିଟିଭ ରୋଗୀଙ୍କୁ ଏ ପଜିଟିଭ ରକ୍ତ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏବଂ ଏହି ଅଭିଯୋଗ ଆଧାରରେ ତଦନ୍ତ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ତଦନ୍ତ ଚାଲିଛି, ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିିକିତ୍ସାଧିକାରୀ କହିଛନ୍ତି ।

ଏପ୍ରିଲ ୩୦ ତାରିଖରେ କେନ୍ଦୁଝର ସଦର ବ୍ଲକ କାଣ୍ଡରାପଶି ଗାଁର ଦାମୁ ମୁଣ୍ଡା ଯକ୍ଷ୍ମା ରୋଗରେ ପୀଡିତ ହୋଇ କେନ୍ଦୁଝର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିଲେ । ତେବେ ତାଙ୍କ ବ୍ଲଡ ଗ୍ରୁପ୍ ଏ ପଜିଟିଭ୍ ଥିବା ବେଳେ ତାଙ୍କୁ ସେଠାରେ ବି ପଜିଟିଭ ରକ୍ତ ଦିଆଯାଇଥିଲା । ଫଳରେ ଚିକିତ୍ସାଧିନ ଅବସ୍ଥାରେ ଦାମୁଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି । ସେହିଭଳି ମେ ୧୩ ତାରିଖରେ ସେହି ସଦର ବ୍ଲକ ସାହୁସାହିର ସୁନି ସାହୁ ଅସୁସ୍ଥତା କାରଣରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତି ହୋଇଥିଲେ । ସେଠାରେ ତାଙ୍କୁ ବି ପଜିଟିଭ ବ୍ଲଡ ଦିଆଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ନେଇଥିଲେ ପରିବାର ଲୋକ ।

ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣାପଡିଥିଲା, ସୁନିଙ୍କ ବ୍ଲଡ ଗ୍ରୁପ୍ ଏବି ପଜିଟିଭ । କେନ୍ଦୁଝରରେ ଭୁଲ ରକ୍ତ ଦିଆଯାଇଥିବା କଟକ ଡାକ୍ତର କହିଥିବା, ଅଭିଯୋଗ କରିଛନ୍ତି ସୁନିଙ୍କ ସଂପର୍କୀୟ । ତେବେ ଭୁଲ ରକ୍ତ ପାଇଁ ୨ ଜଣଙ୍କ ଜୀବନ ଚାଲିଯିବା ଘଟଣାକୁ ନେଇ କେନ୍ଦୁଝରରେ ଅସନ୍ତୋଷ ଦାନା ବାନ୍ଧୁଛି । ଏଭଳି ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦୁଝରବାସୀ ଦାବି କରିଛନ୍ତି ।