୧୧ ମାସ ପରେ ସାମ୍ନାକୁ ଆସିଲା ସର୍ଜିକାଲ ଷ୍ଟ୍ରାଇକର ସତ ! ଟିମ୍ ଲିଡର ମେଜର ମାଇକ ଟାଙ୍ଗୋ କହିଲେ ଭିତିରି କଥା

66

କନକ ବ୍ୟୁରୋ : ଏଗାର ମାସ ପରେ ସାମନାକୁ ଆସିଲା ସର୍ଜିକାଲ ଷ୍ଟାଇକର ସତ । ସୀମା ଆରପଟେ କିଭଳି ଭାରତୀୟ ସେନା ବୀରତ୍ୱ ଦେଖାଇଥିଲା, ନିଜେ କହିଛନ୍ତି ମେଜର ମାଇକ ଟାଙ୍ଗୋ । ସର୍ଜିକାଲ ଷ୍ଟାଇକର ନେତୃତ୍ୱ ନେଇଥିବା ମେଜର ଟାଙ୍ଗୋ କହିଛନ୍ତି, ଅପରେସନକୁ ସଫଳ କରିବା ପରେ ଫେରିଆସିବା ଥିଲା ସବୁଠୁ ବଡ଼ ଚ୍ୟାଲେଂଜ ।

ମେଜର ଟଙ୍ଗୋ କହିଛନ୍ତି, ଫେରିବା ବେଳେ ପାକିସ୍ତାନ ସେନାର ଗୁଳି କାନ ପାଖ ଦେଇ ଚାଲି ଯାଉଥିଲା । ଗତବର୍ଷ ସେପ୍ଟେମ୍ବର ୨୯ ତାରିଖରେ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିଲା । ବର୍ଷ ପୂର୍ତି ଅବସରରେ ‘ଇଣ୍ଡିଆସ ମୋଷ୍ଟ ଫିୟରଲେସ : ଟ୍ରୁ ଷ୍ଟୋରିଜ୍ ଅଫ୍ ମର୍ଡନ ମିଲିଟାରୀ ହିରୋଜ୍’ ବହି ଉନ୍ମୋଚନ ହେବ । ଏହି ବହିରେ ଭାରତୀୟ ସେନାର ଏହି ବୀରତ୍ୱର କାହାଣୀ ଲେଖାଯାଇଛି ।

ମେଜର ଟାଙ୍ଗୋ କହିଛନ୍ତି, ୟୁରି ଆକ୍ରମଣ ପ୍ରତିଶୋଧ ନେବା ପାଇଁ ଆରମ୍ଭ ହୋଇଥିଲା ସର୍ଜିକାଲ ଷ୍ଟ୍ରାଇକ୍ । ଗୁଇନ୍ଦା ତଥ୍ୟ ଆଧାରରେ ମିସନ ଚୂଡାନ୍ତ ହେବା ପରେ କି କି ଅସ୍ତ୍ରଶସ୍ତ୍ର ନିଆଯିବ ଚୟନ କରାଯାଇଥିଲା । ସରକାରଙ୍କୁ ଏ ସଂପର୍କରେ ସମସ୍ତ ଯୋଜନା ଜଣାଇ ଯାଇଥିଲା । ୧୯ ଜଣ ବଛା ବଛା ଯବାନ ଓ ଅଫିସରଙ୍କୁ ନେଇ ଷ୍ଟ୍ରାଇକ୍ ଟିମ୍ ଗଢିଥିଲେ ମେଜର ଟାଙ୍ଗୋ । ମେଜର ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି, ପାକିସ୍ତାନରେ ଟେରରିଷ୍ଟ କ୍ୟାମ୍ପକୁ ଧ୍ୱଂସ କରିବା ଏବଂ ଆତଙ୍କବାଦୀ ହତ୍ୟା କରିବା ଥିଲା ଆମର ଲକ୍ଷ୍ୟ । ତେବେ ମିସନକୁ ସଫଳ କରି ଫେରିବା ଥିଲା ବଡ଼ ଆହ୍ୱାନ । ଆଏସଆଇ ଚଳାଉଥିବା ଏବଂ ପାକିସ୍ତାନ ସେନା ସୁରକ୍ଷା ଦେଉଥିବା ୪ଟି ଟେରରିଷ୍ଟ କ୍ୟାମ୍ପକୁ ଟାର୍ଗେଟ କରାଯାଇଥିଲା ।

ତିନି ଭାଗରେ ବିଭକ୍ତ ହୋଇ ଏହି ଅପରେସନ କରାଯାଇଥିଲା । ମୋଟ ୪ଟି କ୍ୟାମ୍ପକୁ ଧ୍ୱଂସ କରିବା ସହ ୪୦ ଜଣ ଆତଙ୍କବାଦୀ ଏବଂ ପାକ୍ ସେନାର ୨ ଯବାନଙ୍କ ପ୍ରାଣ ଯାଇଥିଲା ଏହି ଅପରେସନରେ । ଭାରତୀୟ ସେନା ଯେଉଁ ବାଟ ଦେଇ ଯାଇଥିଲେ, ସେହି ବାଟରେ ନଫେରିବାକୁ କୁହାଯାଇଥିଲା ।