କଟକ ପକ୍ସୋ କୋର୍ଟ ବିଚାରପତିଙ୍କ ମୃତ୍ୟୁକୁ ନେଇ ବଢ଼ିଲା ରହସ୍ୟ। ହତ୍ୟା ଅଭିଯୋଗ ଆଣି ପରିବାର ଲୋକେ ଥାନାରେ ଦେଲେ ଏତଲା।

83

କନକ ବ୍ୟୁରୋ: ଯେଉଁ ପୁଅ ବିଚାରପତି ଆସନରେ ବସି ଅନେକ ମାମଲାର ବିଚାର କରିଛନ୍ତି, ଦୋଷୀଙ୍କୁ ଦଣ୍ଡାଦେଶ ଦେଇଛନ୍ତି ଆଉ ପୀଡିତଙ୍କୁ ନ୍ୟାୟ ଦେଇଛନ୍ତି । ସେହି ପୁଅ ଆତ୍ମହତ୍ୟା କରିବା ଖବରକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ତାଙ୍କ ମାଆ । ସେ ଆତ୍ମହତ୍ୟା କରିନାହାଁନ୍ତି, ତାଙ୍କୁ ହତ୍ୟା କରାଯାଇଥିବା କଟକ ମର୍କତନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲାରେ ମୃତ ଜଜଙ୍କ ମା ଲେଖିଛନ୍ତି, ତାଙ୍କ ପୁଅକୁ ବୋହୁ ଓ ତାଙ୍କ ଭାଇ ମାନସିକ ନିର୍ଯାତନା ଦେଉଥିଲେ । ପୁଅ ସ୍ତ୍ରୀ ପାଇଁ ଘରକୁ ଆସୁନଥିଲେ । ସ୍ତ୍ରୀ ହିଁ ପୁଅର ମୃତ୍ୟୁ ପାଇଁ ଦାୟୀ ।

ମୃତ ବିଚାରପତିଙ୍କ ଭାଇ ଓ ସମ୍ପର୍କୀୟମାନେ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ତାଙ୍କ ଭାଇଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ କରିଛନ୍ତି ମୃତ ବିଚାରପତିଙ୍କ ଭାଇ । ବିଚାରପତିଙ୍କ ଭିଣୋଇ କହିଛନ୍ତି ସୁବାସଙ୍କୁ ବ୍ଲାକମେଲ କରୁଥିଲେ ତାଙ୍କ ପତ୍ନୀ । ଅଭିଯୋଗ ପରେ ମାମଲା ରୁଜୁ କରିଛି ପୋଲିସ । ଆଉ ସବୁଦିଗରୁ ତଦନ୍ତ ହେବ ବୋଲି କହିଛନ୍ତି ଥାନା ଅଧିକାରୀ ।

ଶୁକ୍ରବାର ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ପରେ ଖବର ପାଇ ତାଙ୍କ ବାସଭବନରେ ପହଞ୍ଚିିଥିଲେ ତାଙ୍କ ପରିବାରର ସଦସ୍ୟ । ସେଠାରେ ଶବଦାହ କେଉଁଠି କରାଯିବ ତାକୁ ନେଇ ପତ୍ନୀ ଓ ପରିବାର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପରିବାର ଲୋକ ଗାଁକୁ ନେଇ ପରମ୍ପରା ଅନୁସାରେ ଶେଷକୃତ୍ୟ କରିବାକୁ ଚାହୁଁ୍ଥିବାବେଳେ ପତ୍ନୀ ପୁରୀକୁ ନେବାକୁ ଜିଦ୍ ଧରିଥିଲେ । ଆଉ ଶେଷରେ ପୁରୀରେ ହିଁ ଶେଷକୃତ୍ୟ କରାଯାଇଥିଲା । ଯାହାକୁ ନେଇ ପରିବାର ଲୋକଙ୍କ ସନ୍ଦେହ ବଢ଼ିଥିଲା ।

ଶୁକ୍ରବାର କଟକ ସିଡିଏ ସେକ୍ଟର ୯ ସ୍ଥିତ କ୍ୱାର୍ଟରରୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଜଜଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଦୁଇ ଦିନ ହେବ କୋର୍ଟ ଛୁଟି ଥିବା ବେଳେ ଶୁକ୍ରବାର ତାଙ୍କ ଷ୍ଟେନୋଙ୍କୁ ଫୋନ୍ କରି ଛୁଟିରେ ରହିବେ ବୋଲି କହିଥିଲେ ବିଚାରପତି ସୁବାସ ବିହାରୀ । ତାପରେ ଅପରାହ୍ନରେ ସେ ଆତ୍ମହତ୍ୟା କରିଥିବା ଖବର ସାମନାକୁ ଆସିଥିଲା । ତେବେ ପ୍ରଶ୍ନ ଉଠୁଛି,
– କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ଜଣେ ବିଚାରପତି?
– ଆତ୍ମହତ୍ୟା କରିବା ସମୟରେ ପରିବାରର ଅନ୍ୟମାନେ କେଉଁଠି ଥିଲେ?
– ପରିବାର ଭିତରେ କୌଣସି ବିବାଦ ରହିଥିଲା କି?