ଟ୍ରେନଯାତ୍ରୀଙ୍କ ପାଇଁ ରେଳ ବିଭାଗର କଡାକଡି ନିୟମ । ଲଗେଜ ଠାରୁ ନେଇ ରିଜର୍ଭଭେସନ ସିଟ ପର୍ଯ୍ୟନ୍ତ, ଏସବୁ ନିୟମ ଉଲଙ୍ଘନ କଲେ ଫାଇନ୍ ସହ ଜେଲଦଣ୍ଡ

2,963

କନକ ବ୍ୟୁରୋ : ପ୍ରତିିଦିନ ହଜାର ହଜାର ସଂଖ୍ୟାରେ ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି । ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କର ସୁବିଧା ନିମନ୍ତେ ରେଳବିଭାଗ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥାଏ । ସରକାର ଟ୍ରେନ ଯାତ୍ରୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ସହ ଯାତ୍ରୀମାନଙ୍କ ପାଇଁ ଅନେକ ନିୟମ ମଧ୍ୟ କରିଥାନ୍ତି । ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବା ପରେ ଏହି ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି । ଅନେକ ସମୟରେ ଯାତ୍ରୀମାନେ ରେଳ ନିୟମ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି । ଏନେଇ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କ ନିମନ୍ତେ ଅନେକ ସମୟରେ ଟ୍ୱିଟ୍ ମଧ୍ୟ କରାଯାଇଥାଏ । ରେଳ ନିୟମର ଉଲଙ୍ଘନ ଆପଣଙ୍କ ପାଇଁ ଅନେକ ସମୟରେ ମହଙ୍ଗା ପଡିପାରେ । ଟ୍ରେନରେ ଯାତ୍ରା କରୁଥିଲେ ଏହି ଦିଗ ପ୍ରତି ନିଶ୍ଚିନ୍ତ ଧ୍ୟାନ ଦିଅନ୍ତୁ ।

ଅଧିକାଂଶ ସମୟରେ ଯାତ୍ରୀମାନେ ନିଜ ନିଜ ସୁବିଧାକୁ ଲକ୍ଷ୍ୟ ରଖି ଟ୍ରେନ୍ରେ ଚେନ୍ ପୁଲିଂ କରିଥାନ୍ତି । ଏହି କାରଣରୁ ରେଳ ବିଭାଗକୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ । ଚେନ୍ ପୁଲିଂ କରିବା ଦ୍ୱାରା ଆର୍ଥିକ ସ୍ତରରେ କ୍ଷତି ହେବା ସହ ଟ୍ରେନ ଚଳାଚଳରେ ବାଧା ସୃଷ୍ଟି ହୋଇଥାଏ, ଏହା ଯାତ୍ରୀମାନଙ୍କ ପାଇଁ ବିପଜ୍ଜନକ ବୋଲି ପ୍ରମାଣିତ ହୋଇଥାଏ । ଜରୁରୀକାଳୀନ ପରିସ୍ଥିତିରେ ଟ୍ରେନକୁ ରୋକିବା ନିମନ୍ତେ ପ୍ରତି ବଗିରେ ଚେନର ସୁବିଧା ଦିଆଯାଇଛି । ଏହାଦ୍ୱାରା ଯାତ୍ରୀମାନେ ଜରୁରୀକାଳୀନ ସ୍ଥିତିରେ ଟ୍ରେନକୁ ରୋକିପାରିବେ । ମାତ୍ର ଅଧିକାଂଶ ଲୋକ ବିନା ଆବଶ୍ୟକତାରେ ଏହି ଚେନକୁ ଟାଣିଥାନ୍ତି । ଏଥିପାଇଁ ରେଳ ବିଭାଗ ପକ୍ଷରୁ ବିନା କୌଣସି କାରଣରେ ଚେନ୍ ପୁଲିଂ କରିବା ନିମନ୍ତେ ବାରଣ କରାଯାଇଛି । ରେଳ ନିୟମ ଧାରା ୧୪୧ ଅନୁଯାୟୀ , ଯଦି କୌଣସି ବ୍ୟକ୍ତି ପର୍ଯ୍ୟାପ୍ତ କାରଣ ବିନା ଆଲାରାମ ଚେନ୍ ବ୍ୟବହାର କରନ୍ତି ତେବେ ତାଙ୍କୁ ୧୦୦୦ ଟଙ୍କା ଜରିମାନା ସହ ଏକ ବର୍ଷ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିଥାଏ ।

ଟ୍ରେନରେ ଚେନ୍ ପୁଲିଂ ସହ ଲଗେଜ୍ ସମ୍ବନ୍ଧୀୟ ମଧ୍ୟ କିଛି ନିୟମ ରହିଛି । ଟ୍ରେନରେ ନିୟମ ଅନୁସାରେ ଏପରି ଅନେକ ଜିନିଷ ଅଛି ଯାହା ଯାତ୍ରୀମାନେ ଯାତ୍ରା ସମୟରେ ବହନ କରିପାରିବେ ନାହିଁ   । ଆପଣ ଯଦି ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଆପଣ ପେଟ୍ରୋଲ୍ , କିରୋସିନ, ବାଣ ଏବଂ ଗ୍ୟାସ ସିଲିଣ୍ଡର ପରି ସାମଗ୍ରୀ ନିଜ ସାଥିରେ ନିଅନ୍ତୁ ନାହିଁ । ଏହା ରେଳବିଭାଗର ନିୟମାବଳୀକୁ ଉଲ୍ଲଂଘନ କରିଥାଏ । ଏଥିପାଇଁ ଅପଣଙ୍କୁ ଜେଲ୍ ମଧ୍ୟ ହୋଇପାରେ । ଯଦି ଆପଣ ଟ୍ରେନରେ କୌଣସି ଜ୍ୱଳନ୍ତ ଜିନିଷ ସହ ଯାତ୍ରା କରୁଛନ୍ତି ତେବେ ରେଳ ନିୟମର ୧୬୪ ଧାରା ଅନୁଯାୟୀ ଏହା କେ ଦଣ୍ଡନୀୟ ଅପରାଧ । ଏଥିପାଇଁ ଆପଣଙ୍କୁ ତିନି ବର୍ଷ ପାଇଁ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ । ଅଧିକାଂଶ ସମୟରେ ଯାତ୍ରୀ ମାନେ ନିର୍ଦ୍ଧାରିତ ଓଜନଠାରୁ ବହୁ ଅଧିକ ସଂଖ୍ୟକ ଓଜନର ଜିନିଷ ଟ୍ରେନରେ ନେଇଥାନ୍ତି ଯାହାକି ଟ୍ରେନର ନିୟମାବଳୀକୁ ଉଲ୍ଲଘଂନ କରିଥାଏ । ସାଧାରଣତଃ ପାସେଞ୍ଜର ଟ୍ରେନ୍ରେ ୪୦ ରୁ ୭୦ କିଲୋ ଓଜନର ସାମଗ୍ରୀ ନେବାର ନିୟମ ରହିଥିବା ବେଳେ ଯଦି ଆପଣ ଅଧିକା ଓଜନର ଜିନିଷ ନେଉଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ଅଲଗା ଫି ଜମା କରିବାକୁ ପଡିବ । ଏହାବ୍ୟତୀୟ ଯାତ୍ରୀମାନେ ଟ୍ରେନରେ ପରିଷ୍କାର ପରିଚ୍ଛନ୍ନତାକୁ ଦୃଷ୍ଟିରେ ରଖିବା ଉଚିତ୍ । ଟ୍ରେନରେ ଦିଆଯାଇଥିବା ବାୟୋଟଇଲେଟରେ ଆପଣ ଯେପରି ପ୍ଲାଷ୍ଟିକ୍ ବୋତଲ୍ କିମ୍ବା କୌଣସି ଅପରିସ୍କାର ଜିନିଷ ନ ପକାନ୍ତି ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ଅନେକ ସମୟରେ ଟ୍ରେନରେ ଥିବା ମଝି ସିଟ୍ ର ଖୋଲିବା ଓ ବନ୍ଦ କରିବାକୁ ନେଇ ପ୍ରଶ୍ନ ହୋଇଥାଏ । ତେବେ କହିରଖୁଛୁ, ରାତି ୧୦ଟାରୁ ଆରମ୍ଭ କରି ସକାଳ ୬ଟା ପର୍ଯ୍ୟନ୍ତ ଆପଣ ଚାହିଁଲେ ଟ୍ରେନ ରେ ଥିବା ସ୍ଲିପର ଓ ୩ ଏସି କ୍ଲାସ୍ ର ମଝି ସିଟ୍କୁ ଖୋଲିପାରିବେ । ଯଦି ଏହି ସମୟ ବ୍ୟତିତ ଅନ୍ୟ କୌଣସି ସମୟରେ କେହି ବ୍ୟକ୍ତି ଆପଣଙ୍କୁ ମଝି ସିଟ୍ ଖୋଲିବାକୁ କହୁଛନ୍ତି ତେବେ ଆପଣ ରେଳ ଅଧିକାରୀଙ୍କୁ ଏନେଇ ଅଭିଯୋଗ ମଧ୍ୟ କରିପାରିବେ । ଏସବୁ ନିୟମ ପାଳନ କରନ୍ତୁ ଓ ଟ୍ରେନରେ ସୁଖମୟ ଯାତ୍ରା କରନ୍ତୁ ।