ମୋଦୀ ଷ୍ଟାଡିୟମରେ ଚମକିଲେ କୋହଲି । ଦୀର୍ଘ ୩ ବର୍ଷ ପରେ କୋହଲିଙ୍କ ବ୍ୟାଟରୁ ଆସିଲା ଶତକ ।

191

କନକ ବ୍ୟୁରୋ : ଦୀର୍ଘ ୩ ବର୍ଷ ଅପେକ୍ଷାର ହେଲା ଅନ୍ତ । ମୋଦୀ ଷ୍ଟାଡିୟମରେ କୋହଲିଙ୍କ ଶତକ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ କୋହିଲଙ୍କ ‘ବିରାଟ’ ଶତକ । ଏହାସହ ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ୭୫ ତମ ଶତକ ହାସଲ କରିଛନ୍ତି । ଟେଷ୍ଟରେ ଏହା କୋହଲିଙ୍କର ୨୮ତମ ଶତକ । ସେହିଭଳି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଏହା କୋହଲିଙ୍କର ୮ମ ଶତକ । ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ସହ କୋହଲି ସୁନୀଲ ଗାଭାସ୍କରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ଗାଭାସ୍କର ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ୮ଟି ଶତକ ହାସଲ କରିଛନ୍ତି । କୋହଲିଙ୍କ ଉପରେ କେବଳ ସଚିନ୍ ରହିଛନ୍ତି, ଯିଏ ଅଷ୍ଟ୍ରେଲିଆ ବିପକ୍ଷରେ ୧୧ଟି ଶତକ ହାସଲ କରିଛନ୍ତି । ଟେଷ୍ଟ ମ୍ୟାଚରେ ବିରାଟଙ୍କ ବ୍ୟାଟରୁ ଶେଷଥର ପାଇଁ ୨୨ ନଭେମ୍ବର ୨୦୧୯ରେ ଶତକ ଆସିଥିଲା । ୪୧ଟି ଇନିଂସ ପରେ ବିରାଟ ଏହି ବହୁ ପ୍ରତିକ୍ଷିତ ଶତକ ହାସଲ କରିଛନ୍ତି ।

ସେହିଭଳି ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ଟେଷ୍ଟ ଶତକ ହାସଲ କରିବାର ଚତୁର୍ଥ ସ୍ଥାନରେ ରହିଛନ୍ତି କୋହଲି । ଭାରତ ପକ୍ଷରୁ ସଚିନ ସର୍ବାଧିକ ୫୧ଟି ଟେଷ୍ଟ ଶତକ ହାସଲ କରିଥିବା ବେଳେ କୋହଲି ୧୦୮ଟି ମ୍ୟାଚରୁ ୨୮ଟି ଶତକ ହାସଲ କରିଛନ୍ତି । କଙ୍ଗାରୁ ଟିମ ବିପକ୍ଷରେ ଶତକ ସହ ଅନ୍ତର୍ଜାତୀୟ କ୍ରିକେଟରେ ୭୫ଟି ଶତକ ହାସଲ କରିବା ସହ ବିଶ୍ୱର ସର୍ବାଧିକ ଶତକ ହାସଲକାରୀ ଖେଳାଳୀଙ୍କ ତାଲିକାରେ ସଚିନଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି କୋହଲି । ଏହାସହ ପୁଣିଥରେ ଫର୍ମକୁ ଫେରିଛନ୍ତି ଭରସାଯୋଗ୍ୟ ବିରାଟ । କଙ୍ଗାରୁ ଟିମ ବିପକ୍ଷରେ ଶତକ କୋହଲିଙ୍କ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ଭାରତୀୟ ଟିମ ପାଇଁ ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ । କାରଣ ଅହମ୍ମଦାବାଦ ଟେଷ୍ଟରେ ବିଜୟୀ ହୋଇ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଫାଇନାଲରେ ସ୍ଥାନ ପକ୍କା କରିବାକୁ ଚାହୁଁଛି ଟିମ୍ ଇଣ୍ଡିଆ । ଆଉ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ କୋହଲିଙ୍କ ଶତକ ଟିମ୍ ଇଣ୍ଡିଆକୁ ଦୃଢ ସ୍ଥିତିରେ ପହଞ୍ଚାଇଛି ।