ଅସ୍ଥିର ରାଜସ୍ଥାନ ରାଜନୀତି । ବଢୁଛି ଗେହଲଟ ଓ ପାଇଲଟ ବିବାଦ

68

କନକ ବ୍ୟୁରୋ : ରାଜସ୍ଥାନରେ ଘନଉଛି ଗେହେଲଟ ଓ ପାଇଲଟ ବିବାଦ । ବେଶ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଓ ଯୁବ ନେତା ସଚିନ ପାଇଲଟଙ୍କ ମଧ୍ୟରେ ଯେଉଁ ଶୀତଳ ଯୁଦ୍ଧ ଚାଲିଛି ତାହା ଦିନକୁ ଦିନ ବଡ ବିବାଦର ରୂପ ନେଉଛି । ଗୁରୁବାର ପାଇଲଟଙ୍କୁ ଆକ୍ଷେପ କରି ଗେହେଲଟ କହିଥିଲେ କି ସଚିନ ଜଣେ ଗଦ୍ଦାର ବା ବିଶ୍ୱାସଘାତକ । ତେଣୁ ସେ କେବେବି ମୁଖ୍ୟମନ୍ତ୍ରୀ ହୋଇପାରିବେନି । ଦଳ ସହ ସଚିନ ବିଶ୍ୱାସଘାତକତା କରିଛନ୍ତି ତେଣୁ ତାଙ୍କୁ କେବେ ମୁଖ୍ୟମନ୍ତ୍ରୀ କରାଯାଇପାରିବନି । ଏଥିସହ ଗେହେଲଟ କହିଥିଲେ କି ପାଇଲଟଙ୍କ କିଛି ସମର୍ଥକ ବିଜେପି ହାତର କଣ୍ଢେଇ ସାଜିଛନ୍ତି ଓ ବିଜେପି ମଧ୍ୟ କୋଟି କୋଟି ଟଙ୍କା ଦେଇ ସେମାନଙ୍କୁ କିଣିସାରିଛି । ରାଜସ୍ଥାନରେ ସରକାର ଭାଙ୍ଗିବା ପାଇଁ ବିଜେପି ସହ ପାଇଲଟ ଓ ତାଙ୍କ ଗୋଷ୍ଠୀ ହାତ ମିଳାଇଥିବା ମଧ୍ୟ କହିିଲେ ଗେହେଲଟ ।

ଅଶୋକ ଗେହେଲଟ ଅଭିଯୋଗର ପାଲଟା ଜବାବ ରଖିଛନ୍ତି ପାଇଲଟ । ସେ କହିଛନ୍ତି ଏହା ପ୍ରଥମ ଥର ନୁହେଁ ଅନେକ ବାର ଏମିତି ଅଭିଯୋଗ କରିଛନ୍ତି ଗେହଲେଟ । ଯାହା ପଛରେ କୌଣସି ସତ୍ୟତା ନାହିଁ ।

ବୟାନବାଜୀ ନେଇ କଂଗ୍ରେସର ହାଇକମାଣ୍ଡ ମଧ୍ୟ ତତ୍ପର ହୋଇପଡିଥିବା ସୂଚନା ମିଳିଛି । ମାମଲାକୁ ଶାନ୍ତ କରିବା ପାଇଁ ବରିଷ୍ଠ ନେତା ପ୍ରୟାସ ଆରମ୍ଭ କରିଛନ୍ତି । ଦଳର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଦଳ ପାଇଁ ଉଭୟ ପାଇଲଟ ଓ ଗେହଲଟ ଜରୁରୀ । ଦୁଇଜଣଙ୍କ ମଧ୍ୟରେ ଯଦି କୌଣସି ମତଭେଦ ରହିଛି ତାକୁ ଖୁବ ଶିଘ୍ର ଦୂର କରାଯିବ । ଦଳ ସର୍ବୋପରି ଓ ଏହାର ପ୍ରାଥମିକତା ସମସ୍ତଙ୍କ ଦାୟିତ୍ୱ ।

ତେବେ ରାଜସ୍ଥାନ ପ୍ରଦେଶ କଂଗ୍ରେସ କଳି ଭିତରେ ବିଜେପିର ମଧ୍ୟ ଏଣ୍ଟ୍ରି ହୋଇଛି । ଦଳ କହିଛି ଗେହେଲଟ ଓ ପାଇଲଟଙ୍କ କଳି ଭିତରେ ବିଜେପିର କୌଣସି ଭୂମିକା ନାହିଁ । ନିଜ ସମସ୍ୟାର ସାମଧାନ କରିବା ବଦଳରେ କଂଗ୍ରେସ ବିଜେପି ଉପରେ ଭିତିହୀନ ଅଭିଯୋଗ ଆଣୁଥିବା ପୁନିଆ କହିଛନ୍ତି ।

ତେବେ ଘଟଣାରେ ନୂଆ ମୋଡ ନେଇଛି ପାଇଲଟ ଗୋଷ୍ଠୀର ନେତା ରାଜେନ୍ଦ୍ର ଗୁଢାଙ୍କ ବୟାନ । କଂଗ୍ରେସର ୮୦ପ୍ରତିଶତ ବିଧାୟକ ପାଇଲଟଙ୍କ ସମର୍ଥନରେ ଅଛନ୍ତି । ଏଥିସହ ସେ କହିଛନ୍ତି କି କଂଗ୍ରେସ ବିଧାୟକଙ୍କ ମତାମତ ନିଆଯାଉା ୮୦ପ୍ରତିଶତ ବିଧାୟକ ପାଇଲଟଙ୍କ ସପକ୍ଷରେ ସମର୍ଥନ ନିଶ୍ଚୟ ଦେବେ ।

୨୦୧୮ ବିଧାନସଭା ନିର୍ବାଚନ ପରଠୁ ଅଶୋକ ଗେହେଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚିକ୍ତତା ଦେଖାଦେଇଛି । ଗେହେଲଟଙ୍କ କହିବା କଥା ପାଇଲଟଙ୍କ ନିକଟରେ ଅଧିକ ବିଧାୟକଙ୍କ ସମର୍ଥନ ନାହିଁ । କିନ୍ତୁ ପାଇଲଟ ସମର୍ଥକଙ୍କ କହିବା କଥା ଅଧିକାହଶ ବିଧାୟକ ରାଜ୍ୟରେ ନେତୃତ୍ୱ ପରିବର୍ତନ ଚାହାନ୍ତି ।