ନିର୍ବାଚନ ସମୟରେ ଅବକାରୀ ନିୟମର ଖୋଲା ଉଲ୍ଲଙ୍ଘନ । ରାତି ୩ଟା ଯାଏଁ ଖୋଲା ରହୁଛି ପବ୍ । ସାମ୍ନା ପଟ ଗେଟ୍ ବନ୍ଦ କରି ଭିତରେ ଚାଲିଛି ପବ୍

57

କନକ ବ୍ୟୁରୋ: ବାହାରୁ ପଡ଼ିଛି ତାଲା, ହେଲେ ଭିତରେ ଡ୍ୟାନ୍ସ ବାରରେ ଚାଲିଛି ନିଶା କାରବାର । ତାହା ପୁଣି ରାତି ୩ଟା ବେଳେ । ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ଯୁବପୀଢିଙ୍କ ପାଇଁ ବାର୍ ମାଲିକ ପସରା ଖୋଲି ଦେଇଛନ୍ତି । ଭୁବନେଶ୍ୱରର ସହିଦ ନଗର ଅଞ୍ଚଳରେ ଥିବା କେବଳ ଗୋଟିଏ ବାର ନୁହେଁ ରାଜଧାନୀର ଏମିତି ଅନେକ ଡାନ୍ସ ବାରରେ ନିୟମ ଉଲ୍ଲଙ୍ଘନ କରାଯାଇ ଭୋର ଯାଏଁ ଖୋଲାଯାଉଥିବା ଦେଖିବାକୁ ମିଳିଛି ।

  • ସମୟ- ପାଖାପାଖି ରାତି ୩ଟା
  • ସ୍ଥାନ- ଭୁବନେଶ୍ୱରର ଏକ ବାର

ବାର୍ ଓ ପବର ସାମ୍ନା ଗେଟରେ ତାଲା ପଡିଛି । ହେଲେ ଭିତରେ ଚାଲିଛି ବେଧଡକ ନିଶା କାରବାର । ନିଶାରେ ଚୁର୍ ହୋଇ ଗୀତର ତାଳେ ତାଳେ ଝୁମୁଛନ୍ତି ଯୁବପୀଢି । ନା ଅଛି ଅବକାରୀ ବିଭାଗର ନିୟମକୁ ଭୟ, ନା ଅଛି ପୋଲିସ୍ ରେଡର ଡର ।

  • ନିୟମ ମାନୁନାହାନ୍ତି ବାର ମାଲିକ!
  • ଅବକାରୀ ବିଭାଗକୁ ଖୋଲା ଚ୍ୟାଲେଞ୍ଜ

ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ଯୁବପୀଢିଙ୍କ ପାଇଁ ବାର୍ ମାଲିକ ପସରା ଖୋଲି ଦେଇଛନ୍ତି । ନିଶାରେ ମଶଗୁଲ୍ ହୋଇ ଏହି ବାର୍ ଭିତରେ ହିଁ ଯୁବପୀଢିଙ୍କ ରାତି ବିତୁଛି । ଖାଲି ଏହି ଗୋଟିଏ ବାର୍ ନୁହେଁ, ରାଜଧାନୀରେ ଥିବା ଆହୁରି ଅନେକ ବାର ଏଭଳି ନିୟମ ଉଲଙ୍ଘନ କରି ରାତି ତମାମ ଡ୍ୟାନ୍ସ ବାର୍ ଓ ପବକୁ ଗ୍ରାହକଙ୍କ ପାଇଁ ଖୋଲା ରଖୁଥିବାର ଚିତ୍ର ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଛି । ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଇବା ପରେ ତଦନ୍ତ ପାଇଁ ନିର୍ଦ୍ଧେଶ ଦେଇଛନ୍ତି ଭୁବନେଶ୍ୱର ଅବକାରୀ ଅଧୀକ୍ଷକ ।

ଅବକାରୀ ବିଭାଗର ନିୟମ ଅନୁସାରେ ରାଜଧାନୀରେ ରାତି ୧୨ଟା ଯାଏଁ ବାର୍ ଓ ପବ୍ ଚାଲିପାରିବ । ଆବଶ୍ୟକ ପଡିଲେ ଅବକାରୀ ବିଭାଗର ସ୍ୱତନ୍ତ୍ର ଲାଇସେନ୍ସ ନେଇ ଏ ସମୟକୁ ଅତି ବେଶିରେ ରାତି ୧ଟା ୩୦ ଯାଏଁ ବୃଦ୍ଧି କରାଯାଇପାରିବ । ହେଲେ ଏ ସମସ୍ତ ନିୟମକୁ ଫୁ କରି ରାତି ସାରା ବାର୍ ଓ ପବକୁ ଖୋଲା ରଖୁଛନ୍ତି ମାଲିକ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଭିନ୍ନ ସମୟରେ ନିୟମ ଉଲଙ୍ଘନ କରୁଥିବା ବାରଗୁଡିକ ଉପରେ ରେଡ୍ କରାଯିବା ସହ ଫାଇନ କଟାଯାଉଛି, ତଥାପି ନିୟମ ଉଲଙ୍ଘନ କରିଚାଲିଛନ୍ତି ବାର ମାଲିକ । ତେଣୁ ପ୍ରଶ୍ନ ଉଠୁଛି…

  • ରାତିସାରା ବାର୍ ଓ ପବ୍ ଖୋଲିବାକୁ କିଏ ଦେଉଛି ଅନୁମତି?
  • କାହା ବଳରେ ବଳିୟାନ ହେଉଛନ୍ତି ବାର୍ ମାଲିକ?
  • କାହିଁକି କୌଣସି ଦୃଷ୍ଟାନ୍ତମୁଳକ ପଦେକ୍ଷପ ନେଉନାହିଁ ଅବକାରୀ ବିଭାଗ?