ଟିଟିଇ ଓ ଗୁଡସ ଗାର୍ଡଙ୍କୁ ଛାଡି ପଳାଇଲା ଟ୍ରେନ୍ : ୱାକିଟକିରେ ଚାଳକଙ୍କ ସହ କଥା ହେବା ପରେ ଅଟକିଲା ଟ୍ରେନ୍

633

କନକ ବ୍ୟୁରୋ : ଟିଟିଇ ଓ ଗୁଡସ ଗାର୍ଡଙ୍କୁ ଛାଡି ଚାଲିଯାଉଥିଲା ଟ୍ରେନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ରେଳ ଷ୍ଟେସନରେ । ପରେ ଗାର୍ଡ ଜଣକ ନିଜ ୱାକିଟକିରେ ଟ୍ରେନ ଚାଳକଙ୍କ ସହ କଥା ହେବା ପରେ ରେଳ ଅଟକିଥିଲା । ବୁଧବାର କିରଣ୍ଡୁଲ ଠାରୁ ବିଶାଖାପାଟଣା ଯାଉଥିବା ଟ୍ରେନ କୋରାପୁଟ ଷ୍ଟେସନରେ ପହଞ୍ଚିଥିଲା ।

କିଛି ସମୟ ଷ୍ଟେସନରେ ଅଟକି ପୁଣି ଟ୍ରେନ ଗଡିବାକୁ ଆରମ୍ଭ କରିଥିଲା । ଏହିସମୟରେ କେହି ଜଣେ ଚେନ ପୁଲିଂ କରିବାକୁ ଟ୍ରେନଟି ଷ୍ଟେସନରେ ପୁଣି ଅଟକିଯାଇଥିଲା । ଏହାପରେ ଟିଟିଆଇ ଓ ଗାର୍ଡ ଜଣକ ତଳକୁ ଓହ୍ଲାଇଥିଲେ, ଚେନ ପୁଲିଂ କରିଥିବା ଯାତ୍ରୀଙ୍କ ସହ କଥା ବାର୍ତା କରିଥିଲେ ଆରପିଏଫ ଅଧିକାରୀ । ଏହି ସମୟରେ ପୁଣି ଟ୍ରେନ ଷ୍ଟେସନ ଛାଡିିଥିଲା ।

ହେଲେ ଷ୍ଟେସନରେ ରହିଯାଇଥିଲେ ଟିଟିଇ ଓ ଗାର୍ଡ । ଏହାପରେ ଗାର୍ଡ ତାଙ୍କର ୱାକିଟକିରେ ଟ୍ରେନକୁ ରଖିବାକ ପାଇଁ ଡ୍ରାଇଭରକୁ କହୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଷ୍ଟେସନରୁ କିଛି ଦୂର ଯିବା ପରେ ପୁଣି ଟ୍ରେନଟି ଅଟକିଥିଲା । ଗାର୍ଡ ଓ ଟିଟିଆଇ ଚାଲି ଚାଲି ଯାଇ ଟ୍ରେନରେ ଚଢିବା ପରେ ଟ୍ରେନଟି ବିଶାଖପାଟଣା ଅଭିମୁଖେ ଯାତ୍ରା କରିଥିଲା ।