କନକ ବ୍ୟୁରୋ : ମୃତ୍ୟୁ କେତେବେଳେ ଓ କେମିତି ଆସେ ତାହା କେହି ବି ପୂର୍ବାନୁମାନ କରିବା ସମ୍ଭବ ନୁହେଁ । କିଏ ରେଳ ତଳେ ଫଶି ବଞ୍ଚିଯାଉଛି ତ କିଏ ସାମାନ୍ୟ ଝୁଣ୍ଟିପଡି ମୃତ୍ୟୁବରଣ କରିଛି । ହେଲେ ଗତକାଲି ରାତିରେ ଗୋଟିଏ ପରିବାରର ୬ଜଣ ଲୋକ ଯେଭଳି ଭାବେ ମୃତ୍ୟୁବରଣ କରିଛନ୍ତି ତାହା ଆପଣଙ୍କୁ ଚକିତ କରିଦେଇପାରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏବେ ସମୟରେ ପ୍ରାୟ ପ୍ରତି ପରିବାରର ଲୋକ ଶୋଇବା ପୂର୍ବରୁ ମଶାଙ୍କ ଦାଉରୁ ରକ୍ଷା ପାଇବାକୁ ମଶାଧୂପ ଲଗାଇ ଶୋଇଥାନ୍ତି । ହେଲେ ଏହି ମଶାଧୂପର ଧୂଆଁରେ ପୁରା ପରିବାର ପାଇଁ କାଳ ହୋଇଯିବ ତାହା ଅନୁମାନ କରିବା ଅସମ୍ଭବ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀର ଶାସ୍ତ୍ରୀ ପାର୍କ ନିକଟରେ । ଏଠାରେ ଗୋଟିଏ ପରିବାରର ସମସ୍ତ ସଦସ୍ୟ ମଶାଧୂପ ଲଗାଇ ଶୋଇଥିବା ବେଳେ ସକାଳେ ୬ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହାସହ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ୪ଜଣ ପୁରୁଷ, ଜଣେ ମହିଳା ଓ ଗୋଟିଏ ଶିଶୁ ଥିବା କୁହାଯାଉଛି ।
ଉତ୍ତର-ପୂର୍ବ ଦିଲ୍ଲୀର ଡିସିପିଙ୍କ କହିବା ମୁତାବକ ଏବେ ବି ୨ଜଣଙ୍କର ଚିକିତ୍ସା ଚାଲିଥିବା ବେଳେ ଜଣେ ଯୁବକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପୋଲିସ ଅଧିକାରୀଙ୍କ କହିବା ମୁତାବକ ପୁରା ପରିବାର ରାତିରେ ମଶାଧୂପ ଲଗାଇ ଶୋଇଥିଲେ । ଏହାସହ ଘରର ସମସ୍ତ କବାଟ ଓ ଝରକା ବନ୍ଦ କରିଦେଇଥିଲେ । ରାତିରେ ମଶାଧୂପ ଧୂଆଁରେ ପରିବାର ଲୋକଙ୍କ ନିଶ୍ୱାସ ବନ୍ଦ ହୋଇ ସେମାନଙ୍କର ମୃତ୍ୟୁ ଘଟିଥିଲା । ଏନେଇ ସ୍ଥାନୀୟ ଲୋକେ ଶୁକ୍ରବାର ସକାଳେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହ ଗୁରୁତର ୩ଜଣଙ୍କୁ ମେଡିକାଲକୁ ପଠାଇଥିଲେ ।