ଡ୍ୟୁଟି ସମୟରେ ଲାଂଚ ନେଇ ଧରାପଡିବା ପରେ ଟ୍ରାଫିକ ପୋଲିସ ପଢିବେ ନୈତିକତାର ପାଠ : ଆଜି ପ୍ରଥମ ପର୍ଯ୍ୟାୟରେ ୭୦ ଜଣଙ୍କୁ ଟ୍ରେନିଂ ଦେବେ କଟକ ଡିସିପି

50

କନକ ବ୍ୟୁରୋ : ଡ଼୍ୟୁଟି ସମୟରେ ଲାଂଚ ନେଇ ଧରପଡ଼ିବା ପରେ ଏବେ ଚେତିଛି କମିଶନରେଟ ପୋଲିସ । ଆଜି କଟକରେ ଡ଼୍ୟୁଟିରେ ରହୁଥିବା ଟ୍ରାଫିକ କନେଷ୍ଟବଳଙ୍କୁ ଦିଆଯିବ ନୈତିକତାର ଶିକ୍ଷା । ଲୋକଙ୍କୁ କିଭଳି ଟ୍ରାଫିକ ନିୟମ ବିଷୟରେ ସଚେତନତା କରାଯିବ ଏବଂ ଡ଼୍ୟୁଟିରେ କିଭଳି ସେମାନେ ଭଲ କାମ କରିବେ ସେ ନେଇ ଟ୍ରେନିଂ ଦିଆଯିବ । ଲାଂଚ ନେବା ଭଳି ନିବୃତ କାମରୁ ଦୂରେଇ ରହି କିଭଳି ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବେ ସେ ବିଷୟରେ ଆଜି କୁହାଯିବ । ଏହି କ୍ଲାସର ପ୍ରଥମ ପର୍ଯ୍ୟାୟରେ ୫୦ରୁ ୭୦ ଜଣ ଟ୍ରାଫିକ କନଷ୍ଟବଳଙ୍କୁ ଟ୍ରେନିଂ ଦେବେ ଡିସିପି ।

ସୂଚନା ଅନୁସାରେ , କିଛି ଦିନ ତଳେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଜଣେ ଗାଡି ଚାଳକଙ୍କ ଠାରୁ ବଟି ନେଉଥିବା ବେଳେ କଟକରେ ଧରାପଡିଥିଲେ ଜଣେ ଟ୍ରାଫିକ୍ କନଷ୍ଟେବଳ । ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଡିସିପି ଅଖିଳେଶ୍ୱର ସିଂହ ଟ୍ରାଫିକ୍ କନେଷ୍ଟବଳ ବଳରାମ ସେଠୀଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ । ସୂଚନା ଅନୁଯାୟୀ ଗତ ମଙ୍ଗଳବାର ପ୍ରାୟ ଦୁଇଟା ବେଳେ କଟକ ଟ୍ରାଫିକ୍ ପୁଲିସର କନେଷ୍ଟବଳ ବଳରାମ ସେଠୀ ଶିଖରପୁର ଛକରେ ଡ୍ୟୁଟି କରୁଥିଲେ । ଏହି ସମୟରେ ଜଣେ ଟାଟା ଏସି ଚାଳକ ନିୟମ ଖିଲାପ କରି ଖସିଯାଇଥିଲେ । ଭିତରେ ଡ୍ରାଇଭର ଏବଂ ସହଯୋଗୀ ସିଟ୍ ବେଲଟ୍ ପିନ୍ଧିନଥିବାରୁ ଡ୍ରାଇଭରଙ୍କୁ ୧ ହଜାର ଟଙ୍କା ମାଗିଥିଲେ । ଡ୍ରାଇଭର ଏତେ ଟଙ୍କା ନଥିବା କହି ମୁଲଚାଲ କରିଥିଲେ । ତେବେ ମୁଲଚାଲ ହେବା ପରେ ଡ୍ରାଇଭର କନେଷ୍ଟବଳଙ୍କୁ ୩୦୦ଟଙ୍କା ଦେଇଥିଲେ । ଏସବୁର ଦୃଶ୍ୟ ମୋବାଇଲରେ ରେକର୍ଡିଂ ହୋଇଥିଲା ।