ଭାରତୀୟ ରେଳ ବିଭାଗ ଯାତ୍ରୀ ମାନଙ୍କୁ ଆରାମଦାୟକ ଯାତ୍ରା ପ୍ରଦାନ କରିବା ବିଭିନ୍ନ ପ୍ରକାର ଯୋଜନା କରୁଛି । କିନ୍ତୁ ଯାତ୍ରୀ ମାନେ ନିଜର ପ୍ରବୃତ୍ତି ଛାଡି ପାରୁନାହାନ୍ତି । ଭାରତୀୟ ରେଳର ଏସି କୋଚରୁ ପ୍ରାୟ ୧୪ କୋଟି ଟଙ୍କାର ଶୋଇବା ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଯେଉଁଥିରେ ତଉଲିଆ, ଚାଦର, କମ୍ବଳ, ତକିଆ ରହିଛି । ସବୁଠୁ ବଡ କଥା ହେଲା ଏହି ଜିନିଷ ଗୁଡିକ ଏସି ବଗିରୁ ଚୋରି ହୋଇଛି । ଯେଉଁଥିରେ ଅଧିକାଂଶ ବଡ ବଡିଆ ଲୋକ ଯାତ୍ରା କରିଥାନ୍ତି । ତେଣୁ ଏମାନେ ଏହି ସାମଗ୍ରୀ ଚୋରି କରିଥିବା ଭାରତୀୟ ରେଳବାଇ ସନ୍ଦେହ କରୁଛି । ୨୦୧୭-୧୮ରେ ଲକ୍ଷାଧିକ ଚାଦର, କମ୍ବଳ, ତକିଆ ଚୋରି ହୋଇଥିବା ରେଲୱେର ଜଣେ ଅଧିକାରୀ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଗତ ବର୍ଷ ଦେଶରେ ଚାଲୁଥିବା ଟ୍ରେନ ଗୁଡିକର ଏସି କୋଚରୁ ୨୧ ଲକ୍ଷ ୭୨ ହଜାର ୨୪୬ଟି ଶୋଇବା ସାମଗ୍ରୀ ଚୋରି ହୋଇଛି । ଯେଉଁଥିରେ ୧୨ ଲକ୍ଷ ୮୩ ହଜାର ୪୧୫ଟି ତଉଲିଆ, ୪ ଲକ୍ଷ ୭୧ ହଜାର ୦୭୭ଟି ଚାଦର, ୩ ଲକ୍ଷ ୧୪ ହଜାର ୯୫୨ଟି ତକିଆ ଖୋଳ ରହିଛି । ଏହାଛଡା ୫୬ ହଜାର ୮୭ଟି ତକିଆ ଓ ୪୬ ହଜାର ୫୧୫ଟି କମ୍ବଳ ମଧ୍ୟ ଗାଏବ ରହିଛି । ଯାହାର ମୂଲ୍ୟ ୧୪ କୋଟି ଟଙ୍କାରୁ ଅଧିକ ହେବ ।
କେବଳ ଏତିକି ନୁହେଁ ଟ୍ରେନ ଟଏଲେଟରୁ ମଧ୍ୟ ପ୍ରତିିଦିନ ମଗ୍ ଫ୍ଲସ ପାଇପ ଓ ଦର୍ପଣ ଚୋରି ହେଉଥିବା ଘଟଣା ସାମ୍ନାକୁ ଆସିଛି । ଯାହା ରେଲୱେ ବିଭାଗର ଚିନ୍ତା ବଢାଇ ଦେଇଛି । ବର୍ତ୍ତମାନ ଏସି କୋଚରେ ପ୍ରତିଦିନ ୩.୯ ଲକ୍ଷ ଶୋଇବା ସେଟ୍ ଉପଲବ୍ଧ କରାଯାଉଛି । ପ୍ରତି ସେଟରେ ଦୁଇଟି ଚାଦର, ଗୋଟିଏ ତଉଲିଆ, ଗୋଟିଏ ତକିଆ, ଓ କମ୍ବଳ ରହିଥାଏ । କିନ୍ତୁ ଯାତ୍ରୀ ମାନେ ଅଧିକାଂଶ ସମୟରେ ତଉଲିଆ ଓ ଚାଦର ଚୋରେଇ ନେଇଥାନ୍ତି । ତେଣୁ ରେଳ ବିଭାଗ ଏସି କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଶସ୍ତା, ଛୋଟ ଓ ଥରେ ବ୍ୟବହାର କରାଯାଉଥିବା ସାମଗ୍ରୀ ଉପଲବ୍ଧ କରିବାକୁ ନିଷ୍ପତି ନେଇଛି ।