ପୁଣି ଖୋଲିଲା କେରଳର ସାବରିମାଳା ମନ୍ଦିର ! ସେପଟେ ସୁପ୍ରିମକୋର୍ଟଙ୍କ ରାୟ ପରେ ମଧ୍ୟ ପଶି ପାରୁନାହାନ୍ତି ମହିଳା ।

92

କନକ ବ୍ୟୁରୋ : ଆଜି ଠାରୁ ପୁଣି ଥରେ ଖୋଲିଛି କେରଳର ସାବରିମାଳା ମନ୍ଦିର । ମଣ୍ଡଳା ମକରଭିଲାକୁ ପର୍ବ ପାଇଁ ସାବରିମାଳା ମନ୍ଦିର ୬୨ ଦିନ ଧରି ଖୋଲା ରହିବ । ପୂର୍ବରୁ ସାବରିମାଳା ମନ୍ଦିରରେ ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ନେଇ ଥିବା ବହୁ ପୁରୁଣା କଟକଣାକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିଥିଲେ । ସୁପ୍ରିମକୋର୍ଟଙ୍କ ରାୟ ପରେ ସାବରିମାଳା ମନ୍ଦିର ତୃତୀୟ ଥର ପାଇଁ ଖୋଲିଛି । ତେବେ ପୂର୍ବରୁ ଦୁଇ ଥର ବିକ୍ଷୋଭକାରୀଙ୍କ ପ୍ରତିବାଦ ଯୋଗୁଁ କୌଣସି ମହିଳା ମନ୍ଦିରରେ ପ୍ରବେଶ କରିପାରି ନଥିଲେ । 

ସୁପ୍ରିମକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରାଯିବ ବୋଲି କେରଳ ସରକାର ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି । ଏନେଇ କେରଳ ମୁଖ୍ୟମନ୍ତ୍ରୀ ପିନରି ବିଜୟନ ଗତକାଲି ଏକ ସର୍ବଦଳୀୟ ବୈଠକ ମଧ୍ୟ ଡକାଇଥିଲେ । ତେବେ ଏହି ବୈଠକରୁ ବିଜେପି ଓ କଂଗ୍ରେସ ଛାଡ଼ି ଚାଲି ଯାଇଥିଲେ । ବିକ୍ଷୋଭକାରୀଙ୍କ ପ୍ରତିବାଦକୁ ଦୃଷ୍ଟିିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ନିଲାକଲ, ପାମ୍ବା ଓ ସନ୍ନିଧାମରେ ୧୪୪ ଧାରା ଜାରି କରାଯାଇଛି । ସେପ୍ଟେମ୍ବର ୨୮ରେ ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରତିବାଦ ଓ ହିଂସାକାଣ୍ଡ ଦେଖାଦେଇଥିଲା । ଏନେଇ ପ୍ରାୟ ସାଢ଼େ ୩ ହଜାର ପ୍ରତିବାଦକାରୀ ଗିରଫ ହେବା ସହ ୫୨୯ଟି ମାମଲା ରୁଜୁ ହୋଇଛି ।