ଦୁଇ ଦିନ ଥଣ୍ଡା, ପୁଣି ଗରମ

33

କନକ ବ୍ୟୁରୋ: ଲଘୁଚାପ ଜନିତ ବର୍ଷା ଯୋଗୁଁ ଗତ କିଛି ଦିନ ହେଲା ରାଜ୍ୟରେ କମ୍ ଶୀତ ଅନୁଭୂତ ହେଉଥିବାବେଳେ ଗତକାଲିଠାରୁ ପୁଣି ଥଣ୍ଡା ବଢ଼ିଛି । ବାୟୁମଣ୍ଡଳରେ ଜଳୀୟ ବାଷ୍ପ କମ୍ ଥିବାରୁ ଶୀତ ବଢ଼ିଛି । ୧୨ତାରିଖ ପର୍ଯ୍ୟନ୍ତ ଶୀତ ଅଧିକ ଅନୁଭୂତ ହେବ । କିନ୍ତୁ ୧୩ତାରିଖ ବେଳକୁ ପୁଣି ଶୀତ କମିଯିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ପଶ୍ଚିମା ବାୟୁ ପ୍ରଭାବରେ ୧୩ରୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶାର ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ସୋନପୁର, ଦେବଗଡ଼, କନ୍ଧମାଳ ଆଦି ଜିଲ୍ଲାରେ ବର୍ଷା ହେବ । ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୨ରୁ ୨୫ଡିଗ୍ରୀ ପାଖାପାଖି ରହିବ । ରାଜ୍ୟର ବାକି ସ୍ଥାନରେ ପାଗ ଶୁଖିଲା ରହିବ । ଏହି ସମୟରେ କମ୍ ଶୀତ ଅନୁଭବ ହେବ । କିନ୍ତୁ ୧୭ତାରିଖ ବେଳକୁ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରୁ ପବନ ବହିବା ସହ ଅଧିକ ଥଣ୍ଡା ଅନୁଭୂତ ହେବ । ଚଳିତବର୍ଷର ଅଧିକ ଥଣ୍ଡା ଏହି ସମୟରେ ଅନୁଭୂତ ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ପୂର୍ବାପେକ୍ଷା ଅଧିକ ରହିଛି। ଉଭୟ ଦିନ ଓ ରାତିର ତାପମାତ୍ରା ଅଧିକ ରହିଛି। ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୨.୬ ଡିଗ୍ରୀ ଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୪.୮ ଡିଗ୍ରୀ ରହିଛି । ସେହିପରି ସୁନ୍ଦରଗଡ଼ ଏବଂ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ରେକର୍ଡ ହୋଇଛି । ଗତକାଲି ଦାରିଙ୍ଗବାଡ଼ି ଓ ଭବାନିପାଟଣାରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୧୪.୪, ସୋନପୁରରେ ୧୬, ଚାନ୍ଦବାଲିରେ ୧୬.୨, ଭୁବନେଶ୍ୱରରେ ୨୦.୧, କଟକରେ ୧୯ ଡିଗ୍ରୀ ରହିଛି।