ମହାନଦୀ ଜଳବିବାଦ ମାମଲାରେ ସୁପ୍ରିମକୋର୍ଟରେ ଆଜି ହୋଇପାରେ ଶୁଣାଣି ! ଟ୍ରିବ୍ୟୁନାଲ ଗଠନକୁ ଅନାବଶ୍ୟକ କହିଥିଲା କେନ୍ଦ୍ର

31

କନକ ବ୍ୟୁରୋ: ମହାନଦୀ ଜଳବିବାଦ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇପାରେ । କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ମହାନଦୀ ଟ୍ରିବ୍ୟୁନାଲ ଗଠନ ଅନାବଶ୍ୟକ ବୋଲି ସତ୍ୟପାଠ ଦାଖଲ କରାଯାଇଥିଲା । ଏହାର ପ୍ରତିଜବାବରେ ଓଡିଶା ସୁପ୍ରିମକୋର୍ଟରେ ଉତ୍ତର ରଖି ଟ୍ରିବ୍ୟୁନାଲ ଗଠନ ଆଇନଗତ ବାଧ୍ୟତାମୂଳକ ବୋଲି ଯୁକ୍ତି ବାଢିଥିଲା । ତେବେ କୋର୍ଟ ଆଜି କଣ ଆଭିମୁଖ୍ୟ ରଖୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିବ ।

ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଛତିଶଗଡ ପକ୍ଷରୁ ପ୍ରତିଷ୍ଠିତ ଆଇନଜୀବୀମାନଙ୍କୁ ନେଇ ସେମାନଙ୍କର ପକ୍ଷକୁ ଉପସ୍ଥାପନ କରିବାକୁ ରଣନୀତି ପ୍ରସ୍ତୁତ ହୋଇସାରିଛି । ଗତବର୍ଷ ଡିସେମ୍ବରରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ମହାନଦୀ ଜଳବିବାଦ ମାମଲାର ସମାଧାନ ସହ ଟ୍ରିବ୍ୟୁନାଲ ଗଠନ କରିବାକୁ ଦାବି କରିଥିଲେ । ସୁପ୍ରିମକୋର୍ଟ ୫ ଥର ଏହି ମାମଲାର ଶୁଣାଣି କରିସାରିଛନ୍ତି । ତେବେ କୋର୍ଟ ଛତିଶଗଡର ବ୍ୟାରେଜ ଉପରେ କୌଣସି ରହିତାଦେଶ ଜାରି କରିନାହାଁନ୍ତି । ଏହାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ । ତେବେ କେନ୍ଦ୍ର ସରକାର ଚଳିତମାସ ପ୍ରଥମ ସପ୍ତାହରେ ସତ୍ୟପାଠ ଦାଖଲ କରି ଟ୍ରିବ୍ୟୁନାଲ ଗଠନ ଅନାବଶ୍ୟକ ଓ ବୁଝାମଣା ଜରିଆରେ ସମାଧାନ କରିବାପାଇଁ ନିର୍ଦ୍ଦେଶ ଜାରି କରାଯାଉ ବୋଲି କହିଥିଲେ ।

ସେପଟେ ମହାନଦୀ ଟ୍ରିବ୍ୟୁନାଲ ଗଠନକୁ ନେଇ ରାଜନୀତି ଜୋର ଧରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଟ୍ରିବ୍ୟୁନାଲ ଗଠନ ପାଇଁ ସୁପ୍ରିମକୋର୍ଟରେ ମନା କରିନାହାଁନ୍ତି ମୋଦି ସରକାର । ବିଜେଡି ସରକାର ଅପପ୍ରଚାର ଚଳାଇଛି ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି । ନୂଆ ଢାଂଚାରେ ଟ୍ରିବ୍ୟୁନାଲ ଗଠନ ପାଇଁ ସରକାର ବିଲ୍ ଆଣିଛନ୍ତି ଏବଂ ସେହି ନୂଆ ଢାଂଚାରେ ମହାନଦୀ ଟ୍ରିବୁନାଲ୍ ଗଠନ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବର ମାସରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ମହାନଦୀ ଜଳବିବାଦ ମାମଲାର ଅରିଜିନାଲ ସୁଟ ଦାଖଲ କରି ଛତିଶଗଡ଼ ଦ୍ୱାରା ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ ଉପରେ ରହିତାଦେଶ ଜାରି କରିବା ସହ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବା ନିମନ୍ତେ ଦାବି କରିଥିଲେ । ସୁପ୍ରିମକୋର୍ଟଙ୍କ ଦ୍ୱାରା ଚଳିତ ବର୍ଷ ଏପ୍ରିଲ ମାସରୁ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା ।

ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବୋଚ୍ଚ ଅଦାଲତ ପାଞ୍ଚ ଥର ଏହି ମାମଲାର ଶୁଣାଣି କରିସାରିଛନ୍ତି । ଯଦିଓ ଏ ନେଇ ଅଦାଲତରେ ଓଡ଼ିଶା ପକ୍ଷରୁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରାଯାଇଥିଲା, ତଥାପି ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଦ୍ୱାରା ନିର୍ମାଣଧୀନ ବ୍ୟାରେଜ ଉପରେ ସୁପ୍ରିମକୋର୍ଟ କୌଣସି ରହିତାଦେଶ ଜାରି କରିନାହାନ୍ତି । ଅପରପକ୍ଷେ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ନିମନ୍ତେ କେନ୍ଦ୍ର ସରକାରଙ୍କୁ ତତ୍ପରତା ପ୍ରଦର୍ଶନ କରିବା ପାଇଁ ଖଣ୍ଡପୀଠ କହିଥିଲେ । ଫଳସ୍ୱରୂପ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିବା ତଥା କ୍ୟାବିନେଟ ଚିଠା ପ୍ରସ୍ତୁତ ହୋଇସାରିଥିବାର ମଧ୍ୟ ଅଗଷ୍ଟ ୮ ତାରିଖର ଶୁଣାଣି ବେଳେ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା । ଅକ୍ଟୋବର ୯ ତାରିଖରେ କେନ୍ଦ୍ର ସରକାର ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ସମ୍ପର୍କିତ ବିଜ୍ଞପ୍ତି ନଭେମ୍ବର ୧୯ ତାରିଖ ସୁଦ୍ଧା ପ୍ରକାଶ କରିବେ ବୋଲି ଜଣାଇଥିଲେ ।

କିନ୍ତୁ ଅକ୍ଟୋବର ୧୯ ସୁଦ୍ଧା କୌଣସି ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ । ଯାହାର କାରଣ ଦର୍ଶାଇ କେନ୍ଦ୍ର ସରକାରଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଚଳିତ ମାସ ପ୍ରଥମ ସପ୍ତାହରେ ସତ୍ୟପାଠ ଦାଖଲ କରି ଟ୍ରିବ୍ୟୁନାଲ ଗଠନ ଅନାବଶ୍ୟକ ଓ ବୁଝାମଣା ଜରିଆରେ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଉ ବୋଲି କହିଥିଲେ । କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟକୁ ଓଡ଼ିଶା ଦ୍ୱାରା ତୀବ୍ର ସମାଲୋଚନା କରାଯାଇଛି ଏବଂ ସର୍ବୋଚ୍ଚ ଅଦାଲତରେ ଜବାବ ମଧ୍ୟ ଦାଖଲ କରାଯାଇଛି । ଆଜିର ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କୋର୍ଟରେ ଦେଇଥିବା ବୟାନରୁ ଓହରି ଯାଇଥିବାରୁ ଅଦାଲତ ଅବମାନନା ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନା ଆଇନଗତ ଦିଗକୁ ଅନୁଧ୍ୟାନ କରି ଶୀଘ୍ର ଟ୍ରିବ୍ୟୁନାଲ ଗଠନ ସମ୍ପର୍କିତ ଆଦେଶ ଜାରି କରିବେ, ସେ ନେଇ ଅଭିମୁଖ୍ୟ ସ୍ପଷ୍ଟ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।