ଆଜି ଝାରସୁଗୁଡ଼ାରେ ହେବ ଧୂଆଁଧାର ପ୍ରଚାର । ମଇଦାନକୁ ଓହ୍ଲାଇବେ ସୁପ୍ରିମୋ ନବୀନ ପଟ୍ଟନାୟକ । ସେପଟେ ରୋଡ ସୋ ଓ ସମାବେଶ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରରେ କମ୍ପିବ ଝାରସୁଗୁଡ଼ା

161

କନକ ବ୍ୟୁରୋ : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ପ୍ରଚାର ପାଇଁ ଆଉ ଦୁଇଦିନ ସମୟ ଥିବାବେଳେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଚାର ଲାଗି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରୁ ଅପରାହଣ ୩ଟା ୪୫ରେ ବିମାନ ଯୋଗେ ବାହାରି ଝାରସୁଗୁଡ଼ା ବିମାନ ବନ୍ଦରରେ ୪ଟା ୩୦ରେ ପହଞ୍ଚିବେ ।

ସେଠାରେ ଜେଲ ପାଖ ଅମଲିପାଲି ପଡିଆରେ ହେବାକୁ ଥିବା ସଭାସ୍ଥଳକୁ ଯାଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ୪ଟା ୩୦ରୁ ୫ଟା ୧୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ ରହି ପ୍ରଚାର କରିବା ସହ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଭୋଟ୍ ମାଗିବେ

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଜି ଝାରସୁଗୁଡ଼ାରେ ପ୍ରଚାର କରିବେ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ୍ ମାଗିବେ କେନ୍ଦ୍ରମନ୍ତ୍ରୀ । ସକାଳ ୧୦ଟା ୩୦ରେ କୋଲାବିରା ବ୍ଲକରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ । ଅପରାହ୍ଣ ୪ଟାରେ ଝାରସୁୁଗୁଡ଼ା ସହର ବସଷ୍ଟାଣ୍ଡଠାରେ ମଧ୍ୟ ରୋଡ୍ ସୋ’ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଝାରସୁଗୁଡ଼ାରେ ପହଞ୍ଚି ସାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିର୍ବାଚନୀ ପ୍ରଚାରର ଶେଷ ପର୍ଯ୍ୟାୟରେ ଏହି ହାଇଭୋଲଟେଜ୍ ପ୍ରଚାରକୁ ନେଇ ରାଜନୈତିକ ମାହୋଲ ଅଧିକ ଉଷ୍ମ ହେବାରେ ଲାଗିଛି ।