ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ ! ଏଜେଣ୍ଡାରେ ସପ୍ତମ ବେତନ କମିସନ, ଆଇଓସିଏଲ୍ ପ୍ରସଙ୍ଗ

45

କନକ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ସନ୍ଧ୍ୟା ୫ଟା ୪୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ୪ଟି ପ୍ରସ୍ତାବ ଉପରେ ଆଲୋଚନା ଲାଗି ମନ୍ତ୍ରୀମାନଙ୍କୁ ଏଜେଣ୍ଡା ଦିଆଯାଇଛି ।

ମାତ୍ର ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର କ୍ୟାବିନେଟ୍ ସପ୍ତମ ବେତନ କମିସନ ସୁପାରିସ ଲାଗୁ ପ୍ରସ୍ତାବକୁ ବିଧିବଦ୍ଧ ଅନୁମୋଦନ ଦେବେ । ଏ ସଂକ୍ରାନ୍ତ ପ୍ରସ୍ତାବ ମନ୍ତ୍ରୀମାନଙ୍କୁ କ୍ୟାବିନେଟ୍ ବୈଠକରେ ହିଁ ଦିଆଯିବ । ସେହିଭଳି ପାରାଦୀପ ତୈଳ ବିଶୋଧନାଗାରର ଟିକସକୁ ନେଇ ରାଜ୍ୟ ସରକାର ଓ ଆଇଓସିଏଲ୍ ମଧ୍ୟରେ ହୋଇଥିବା ନୂଆ ବୁଝାମଣା ପ୍ରସ୍ତାବ କ୍ୟାବିନେଟ୍ ଅନୁମୋଦନ ପାଇଁ ଆସିବ । ଏହିପରି ମୋଟ ୮ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ ।

ଉଲ୍ଲେଖଯୋଗ୍ୟ, ଗତ ୧୮ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆଲୋଚନା ପରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟିକସ ବିବାଦରେ ପୂର୍ଣ୍ଣଛେଦ ପଡିଥିଲା । ସ୍ଥିର ହୋଇଥିଲା, ଆଇଓସିଏଲର ପାରାଦୀପ ରିଫାଇନାରି ପାଇଁ ରାଜ୍ୟ ସରକାର ୧୫ବର୍ଷ ବିନା ସୁଧରେ ବାର୍ଷିକ ୭୦୦କୋଟିର ଋଣ ପ୍ରଦାନ କରିବେ । ବର୍ଷର ପ୍ରତ୍ୟେକ ଚାରିମାସରେ ଅର୍ଥାତ୍ ଚାରିଟି କିସ୍ତିରେ (୧୭୫ କୋଟି ଲେଖାଏଁ) ଏହି ଅର୍ଥ ଦିଆଯିବ । ୧୬ତମ ବର୍ଷରୁ ଆଇଓସିଏଲ୍ ଏହାକୁ ସୁଝିବା ଆରମ୍ଭ କରିବ ।

୨୦୧୬-୧୭ ଆର୍ଥିକ ବର୍ଷରେ ଆଇଓସିଏଲର ୨୨୦୦ କୋଟି ଟଙ୍କା ଆୟ ହୋଇଛି । ସେଥିରୁ ରାଜ୍ୟ ସରକାର ୭୦୦ କୋଟି ବିନା ସୁଧରେ ଦେବେ ଓ ବାକି ୧୫ଶହ କୋଟି ଟଙ୍କା ରାଜସ୍ୱ ଆକାରରେ ରହିବ । ତେବେ ୨୦୧୫-୧୬, ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷରେ ଆଦାୟ ହୋଇଥିବା ଭାଟକୁ ଆଇଓସିଏଲ୍ ଜମା କରିବ । ଏହି ନିଷ୍ପତ୍ତି ଆଇଓସିଏଲ୍ ବୋର୍ଡରେ ଅନୁମୋଦନ ଲାଭ କରିବ । ସେହିଭଳି ରାଜ୍ୟ ସରକାର ମଧ୍ୟ ନିଷ୍ପତ୍ତିକୁ କ୍ୟାବିନେଟରେ ଅନୁମୋଦନ କରାଇବେ । ଏହାପରେ ଯାଇ ଉଭୟ ପକ୍ଷ ମଧ୍ୟରେ ସାନି ଚୁକ୍ତିନାମା ସ୍ୱାକ୍ଷର ସମ୍ଭବ ହୋଇପାରିବ ।