ଆଜି ବ୍ରହ୍ମପୁର ଯିବେ ରାଷ୍ଟ୍ରପତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଅପରାହ୍ନରେ କଟକ ଗସ୍ତ କରିବେ ।

69

କନକ ବ୍ୟୁରୋ: ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାମହିମ ରାଷ୍ଟ୍ରପତିଙ୍କ ଆଜି ତୃତୀୟ ଦିନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି  ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗସ୍ତ କରିବେ । ବ୍ରହ୍ମପୁରର ରଙ୍ଗେଇଲୁଣ୍ଡା ହେଲିପ୍ୟାଡରେ ସକାଳ ପ୍ରାୟ ୧୦ଟା ୧୫ରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଅବତରଣ କରିବ । ସେଠାରୁ କଡ଼ା ସୁରକ୍ଷା ଭିତରେ ରାବିଙ୍ଗ ରୁମରେ ପହଞ୍ଚିିବା ପରେ ଶୋଭାଯାତ୍ରାରେ ସଭାସ୍ଥଳକୁ ଯିବେ ରାଷ୍ଟ୍ରପତି । ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତନ ଉତ୍ସବରେ ପ୍ରାୟ ୫୦ ମିନିଟର କାର୍ଯ୍ୟକ୍ରମ ହେବ । ଏଥିରେ ସ୍ୱର୍ଣ୍ଣ ପଦକ ପାଇବାକୁ ଥିବା ୧୦ଜଣଙ୍କୁ ପଦକ ପ୍ରଦାନ କରିବେ । ସେହିପରି ଇତିହାସ ବିଭାଗର ଅବସରପ୍ରାପ୍ତ ପ୍ରଫେସର ହରିହର ପଣ୍ଡା, ବ୍ରହ୍ମପୁର ଖଲ୍ଲିକୋଟ କଲେଜର ଓଡ଼ିଆ ବିଭାଗର ସହକାରୀ ପ୍ରାଧ୍ୟାପିକା ଡ. ଉଷାରାଣୀ ରଥ, ହାଇଦ୍ରାବାଦର ତେଲୁଗୁ ବିଭାଗର ଡ. ଜି. ଥିରୁପଥମାଙ୍କୁ ଡିଲିଟ୍ ଏବଂ ଆନ୍ଧ୍ର ପ୍ରଦେଶର ଗୁଂଟୁର ବାୟୋ ଟେକ୍ନୋଲୋଜି ବିଭାଗର ହରିକ୍ରିଷ୍ଣା ରାମ ପ୍ରସାଦଙ୍କୁ ସାରିପଲ୍ଲୀ ଡିଏସସି ଉପାଧି ପ୍ରଦାନ କରବେ । ଏହାସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ମଧ୍ୟ ଦେବେ ରାଷ୍ଟ୍ରପତି ।

ମଧ୍ୟାହ୍ନ ୧୨ଟା ବେଳେ ବ୍ରହ୍ମପୁରରୁ ବାହାରି ସିଧା ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ଭୁବନେଶ୍ୱରର ରାଜଭବନରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ଣ ୩ଟା ୫୦ରେ କଟକ ଇନଡୋର ଷ୍ଟାଡିୟମ ଗସ୍ତ କରିବେ । ସେଠାରେ ବ୍ରହ୍ମକୁମାରୀଙ୍କ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି ।