ଆଜି ବିଶ୍ୱ ସିଂହ ଦିବସ । ବର୍ଷକୁ ବର୍ଷ କମୁଛି ସଂଖ୍ୟା: ଥିଲେ ୫୬ ଏବେ ଅଛନ୍ତି ମାତ୍ର ୧୬

295

କନକ ବ୍ୟୁରୋ: ଆଜି ବିଶ୍ୱ ସିଂହ ଦିବସ । ଜଙ୍ଗଲର ରାଜା ଭାବେ ଜଣାଶୁଣା ଏହି ବନ୍ୟପ୍ରାଣୀଟି ଆଜି ଜଙ୍ଗଲର ଘନତା କମିବା କାରଣରୁ ବିପଦରେ। ଏକଦା ଗୁଜୁରାଟର ଗିର୍‌ ଜଙ୍ଗଲରେ ବିପୁଳ ସଂଖ୍ୟାରେ ବାସ କରୁଥିବା ସିଂହ ଆଜି ହାତଗଣତିକୁ ଖସିଆସିଛି। ସହରୀ ସଭ୍ୟତାର ପ୍ରସାର ଯୋଗୁଁ ଜଙ୍ଗଲର ରାଜା ଆଜି ଚିଡ଼ିଆଖାନାରେ ପର୍ୟ୍ୟଟକଙ୍କ ଦର୍ଶନୀୟ ଜନ୍ତୁ ପାଲଟିଛି। ଜଙ୍ଗଲରେ ଅନୁକୂଳ ପରିବେଶ ଅଭାବରୁ ଯେମିତି ସିଂହ ବଂଶ ବୃଦ୍ଧି ବାଧାପ୍ରାପ୍ତ ହେଉଛି, ଚିଡ଼ିଆଖାନାରେ ବି ସେମିତି ଅବସ୍ଥା। ଓଡ଼ିଶାର ନନ୍ଦନକାନନ‌ ଦିନେ ସିଂହ ବଂଶ ବୃଦ୍ଧି ପାଇଁ ସମଗ୍ର ଦେଶରେ ସୁନାମ ଅର୍ଜନ କରିଥିବା ବେଳେ ଆଜି ତାହା ମିଳେଇଯାଇଛି। ଏକଦା ୫୬ ସିଂହ ଥିବା ନନ୍ଦନକାନନରେ ଏବେ ମାତ୍ର ୧୬ଟି ସିଂହ ଅଛନ୍ତି। ଏକ ସମୟରେ ପ୍ରଜନନ ବନ୍ଦ କରାଇବା ସିଂହ ବଂଶ ବୃଦ୍ଧିରେ ରୋକ୍‌ ଲଗାଇଥିବା ବେଳେ ସାପ କାମୁଡ଼ାରେ ସିଂହ ମୃତ୍ୟୁ ନନ୍ଦନକାନନରେ ସିଂହ ସଂଖ୍ୟା କମ୍ କରିଛି।

ଓଡିଶାରେ ମଧ୍ୟ ସିଂହ ଖୁବ୍ ବିରଳ । ନନ୍ଦନକାନନକୁ ବିଭିନ୍ନ ଦେଶରୁ ସିଂହ ଅଣାଯାଉଥିଲେ ବି ଏଠିକାର ଜଳବାୟୁ ସେମାନଙ୍କ ଉପଯୋଗୀ ନଥିବାରୁ ସେମାନେ ତିଷ୍ଠି ପାରୁନାହାଁନ୍ତି । ତେଣୁ ଏମାନଙ୍କ ସଂଖ୍ୟା ଏଠାରେ ଅତି ନ୍ୟୁନ । ଏହା ସହ ସାରା ବିଶ୍ୱରେ ସେମାନଙ୍କ ବିଚରଣ ପାଇଁ ଉଦ୍ଦିଷ୍ଟ ପର୍ଯ୍ୟାପ୍ତ ଜଙ୍ଗଲ ନଥିବାରୁ ସିଂହଙ୍କ ସଂଖ୍ୟା ଦିନକୁ ଦିନ ଲୋପ ପାଇବାରେ ଲାଗିଛି ।