ଉତ୍ତର ଭାରତରେ ଶୀତ ଲହରୀ ଜାରି, ଦିଲ୍ଲୀ-ଏନସିଆରରେ ଦୁଇ ଦିନ ପାଇଁ ଆଲର୍ଟ।

91

କନକ ବ୍ୟୁରୋ: ପାହାଡିଆ ଅଞ୍ଚଳରେ ବରଫପାତ କାରଣରୁ ଉତ୍ତର ଭାରତରେ ଶୀତ ଲହରୀ ଜାରିରହିଛି । ଦିଲ୍ଲୀ-ଏନସିଆର, ହରିୟାଣା, ରାଜସ୍ଥାନ, ୟୁପିରେ ଶନିବାର ସନ୍ଧ୍ୟାରେ ଥଣ୍ଡା ପବନ ବହିଥିଲା । ସକାଳୁ କୁହୁଡି କାରଣରୁ ଲୋକେ ବେସ ପ୍ରଭାବିତ ହେଉଛନ୍ତି । ରାଜଧାନୀରେ ଭିଜିବିଲିଟି ୧୦୦ ମିଟର ରହିଥିଲା । ଆଇଏମଡିର ପାଣିପାଗ ସୂଚନା ଅନୁସାରେ ପାରଦ ୪ ଡିଗ୍ରୀକୁ ହ୍ରାସ ପାଇବ । ଶନିବାର ସକାଳୁ ଏଠାରେ ତାପମାତ୍ରା ୫ ଡିଗ୍ରୀ ରେକର୍ଡ ହୋଇଛି ।

ପାଣିପାଗ ବିଭାଗ ସୂଚନା ଅନୁସାରେ ରବିବାର ଓ ସୋମବାର ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ୨୫ ଏବଂ ୨୬ ଡିସେମ୍ବରରେ ରାଜଧାନୀ ଦିଲ୍ଲୀରେ ଶୀତ ଲହରୀ ଜାରିରହିବ ବୋଲି ସୂଚନା ମିଳିଛି । ୨ଦିନରେ ତାପମାତ୍ରା ୪ ଡିଗ୍ରୀ ରହିବା ନେଇ ଅନୁମାନ କରାଯାଇଛି । ଡିସେମ୍ବର ୩୦ ଯାଏ ଜାରି ହୋଇଥିବା ପାଣିପାଗ ରିପୋର୍ଟରେ ୨ ଦିନ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ପଞ୍ଜାବ, ଉତ୍ତର ରାଜସ୍ଥାନ, ହରିଆଣା, ଦିଲ୍ଲୀରେ ବହଳିଆ କୁହୁଡି ଦେଖିବାକୁ ମିଳିବ । ବିହାରର କିଛି ଅଞ୍ଚଳରେ ମଧ୍ୟ ଏହିଭଳି ସ୍ଥିତି ରହିବ ।