ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ଆଜି ହେବ କଂସ ବଧ: ୧୧ ଦିନ ଧରି ଚାଲିିଥିବା ମୁକ୍ତକାଶ ରଙ୍ଗମଂଚରେ ଅନୁଷ୍ଠିତ ହେବ ଶେଷ ଦିନ

କୃଷ୍ଣଙ୍କ ଆଗମନରେ ଉତ୍ସବ ମୁଖର ହୋଇପଡିଛି ମଥୁରା ନଗରୀ

106

କନକ ବ୍ୟୁରୋ: ଆଜି ସରୁଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଦୀର୍ଘ ୧୧ ଦିନ ଚାଲିିଥିବା ଏହି ମୁକ୍ତକାଶ ରଙ୍ଗମଂଚେରେ ଆଜି ଅନୁଷ୍ଠିତ ହେବ ଶେଷ ଦିନ । କୃଷ୍ଣ ଜନ୍ମ ଠାରୁ ଆରମ୍ଭ କରି ମଥୁରା ନଗର ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଅଭିନୀତ ହୋଇସାରିଥିବା ବେଳେ ଆଜି ଅନ୍ତିମ ଦିନରେ କଂସ ବଧ ହେବ । ଧନୁଯାତ୍ରାର ଦଶମ ଦିନରେ ଦେଖିବାକୁ ମିଳିଥିଲା କୃଷ୍ଣଙ୍କ ଆଗମନରେ କିପରି ଉତ୍ସବ ମୁଖର ହୋଇପଡିଛି ମଥୁରା ନଗରୀ । ପରେ ସୁଦାମା, ମାଳି ଓ ରଜକଙ୍କ ସହ ସାକ୍ଷାତ ହୋଇଥିବା ବେଳେ କୁବଜାକୁ ଉଦ୍ଧାର କରିଛନ୍ତି ଭଗବାନ ଶ୍ରୀକୃଷ୍ଣ । ସେପଟେ କୃଷ୍ଣ ମଥୁରାରେ ପହଚିଂଥିବା ଖବର ପାଇ ଭୟଭୀତ ହୋଇପଡିଛି ମାମୁଁ କଂସ । ସ୍ୱପ୍ନରେ କୃଷ୍ଣ ତାଙ୍କୁ ବଦ୍ଧ କରୁଥିବା ଦେଖିଛନ୍ତି ମହାରାଜା କଂସ । ଏହି ସ୍ୱପ୍ନ ଦେଖିବା ପରେ ଅଧିକ ବିଚଳିତ ହୋଇପଡିଛନ୍ତି କଂସ । ତାପରେ କୃଷ୍ଣ-ବଳରାମଙ୍କୁ ମାରିବା ଉଦ୍ଦେଶ୍ୟରେ ପ୍ରସ୍ତୁତି ଚଳାଇଛନ୍ତି ।

ଅନ୍ୟପଟେ, କୃଷ୍ଣ ବଳରାମଙ୍କ ବିନା ଗୋପଦାଣ୍ତ ଖାଁଖାଁ ଲାଗୁଛି। ବେନି ଭାଇଙ୍କୁ ଝୁରି ହେଉଛନ୍ତି ଗୋପାଳ ଗୋପାଙ୍ଗନାମାନେ। ମା’ ଯୋଶଦାଙ୍କ ଆଖି ବୋହି ଯାଉଛି ଲୁହ ଧାର। ମଥୁରାବାସୀ କୃଷ୍ଣ ବଳରାମଙ୍କ ଆସିବା ସୂଚନା ପାଇ ଆନନ୍ଦ ବିଭୋର ହୋଇ ଧାଇଁଥିଲେ ଗାଁ ଦାଣ୍ତକୁ। ଅକ୍ରୂରଙ୍କ ସହ ରଥାରୁଢ଼ ହୋଇ କୃଷ୍ଣବଳରାମ ମଥୁରା ଭ୍ରମଣ କରିଥିଲେ। ନଗର ଭ୍ରମଣ ସମୟରେ ମହାରାଜ କ˚ସଙ୍କ ରଜକକୁ କାନ୍ଧରେ ଉଜ୍ଜଳ ବସନ ନେଇ ଯାଉଥିବା ଦେଖି ଦୁଇ ଭାଇ ଏହି ବସ୍ତ୍ର ଦେବାକୁ ଅଳି କରିଥିଲେ। ମାତ୍ର ରଜକ ଏଥିରେ ରାଜି ହୋଇନଥିଲା। କୃଷ୍ଣ ଶେଷରେ ଗୁହାରି କରିଥିଲେ ହେଁ ସେ ନଶୁଣିଲା ପରି ସେଠାରୁ ଚାଲିଯାଉଥିବା ବେଳେ ଗୋପାଳମାନେ ତାଙ୍କ ଠାରୁ ଛଡ଼ାଇ ଆଣିବାକୁ ଉଦ୍ୟତ ହେଉଥିଲେ।

ରଜକର ଏଭଳି ମନ୍ତବ୍ୟ ଶୁଣି କୃଷ୍ଣ କ୍ରୋଧାନ୍ବିତ ହୋଇଛନ୍ତି। ସେ ବାମ ହାତରେ ଏକ ଚାପୁଡ଼ା ମାରିବାରୁ ରଜକର ମୃତ୍ୟୁ ହୋଇଛି। ଏହାପରେ କୃଷ୍ଣ ଓ ଗୋପାଳମାନେ ଲୁଗା ପିନ୍ଧିଥିଲେ। ନଗର ଭ୍ରମଣ ସମୟରେ ସୁଦାମା କୃଷ୍ଣବଳରାମଙ୍କ ଚରଣ ଧୋଇ କୃଷ୍ଣପ୍ରେମରେ ଗଦ୍ ଗଦ୍ ହୋଇ ଉଠିଥିଲେ। ନଗର ପରିକ୍ରମା ବେଳେ କାଳିମନ୍ଦିରରେ କୁବୁଜା ସହିତ ସେମାନଙ୍କର ସାକ୍ଷାତ ହୋଇଥିଲା। ଶ୍ରୀକୃଷ୍ଣ ପ୍ରୀତ ହୋଇ ସାଉଁଳି ଦେବାରୁ କୁବୁଜାର ଅସୁନ୍ଦର ଶରୀର ସୁନ୍ଦର ହୋଇଯାଇଥିଲା। କୃଷ୍ଣ-ବଳରାମଙ୍କୁ ପାଇ ମଥୁରାବାସୀ ଭକ୍ତିରେ ବିଭୋର ହୋଇ ଉଠିଛନ୍ତି। ମଥୁରା କୃଷ୍ଣମୟ ହୋଇଛି।