ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ: ତାତିରେ ପୁଣି ସିଝିଲା ପଶ୍ଚିମ ଓଡ଼ିଶା, ଟିଟିଲାଗଡ଼ରେ ସର୍ବାଧିକ ୪୫.୫ ଡିଗ୍ରୀ ତାପମାତ୍ରା

89

କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତିର ପ୍ରକୋପ ଜନଜୀବନକୁ କଲବଲ କରିଛି । ଦିନ ସାଢ଼େ ୨ଟା ସୁଦ୍ଧା ଟିଟିଲାଗଡ଼ରେ ସର୍ବାଧିକ ୪୫ ଦଶମିକ ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ବଲାଙ୍ଗିରରେ ୪୫ ଡିଗ୍ରୀ, ବୌଦ୍ଧରେ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଜ୍ୟର ୯ଟି ସ୍ଥାନର ତାପମାତ୍ରା ୪୪ ଡିଗ୍ରୀ ଉପରେ ଥିବା ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସେପଟେ ଟୁଇନ୍ ସିଟିରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଭୁବନେଶ୍ୱରରେ ୩୭ ଦଶମିକ ୮ ଡିଗ୍ରୀ ଓ କଟକରେ ୩୬ ଦଶମିକ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହାରି ଭିତରେ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।