କାଳ ପାଲଟିଲା କାଳବୈଶାଖୀ । କେଉଁଠି ଉପୁଡିଲା ଗଛ ତ, କେଉଁଠି ଉଡିଗଲା ଆଜବେଷ୍ଟସ୍ । ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ।

598

କନକ ବ୍ୟୁରୋ: ପ୍ରଚଣ୍ଡ ତାତି ଭିତରେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣି ଦେଇଥିଲେ ବି ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି । କେଉଁଠି ବଡ଼ ବଡ଼ ଗଛ ଉପୁଡି ପଡିଛି ତ, ଆଉ କେଉଁଠି ଆଜବେଷ୍ଟସ ଉଡିଯାଇଛି । ଏପରିକି ଦିନ ବେଳା କଳାହାଣ୍ଡିଆ ମେଘ ଘୋଟି ଆସିବା ଫଳରେ ଅଚାନକ ଅନ୍ଧାର ହୋଇଯାଇଥିଲା ଚାରିଆଡ । ଆଉ ୩ଘଣ୍ଟାର ନିର୍ଦ୍ଧୁମ ବର୍ଷା ପରେ ଶୀତଳ ହୋଇଛି ଚତୁର୍ଦ୍ଧିଗ ।

  • ଅପରାହ୍ଣରେ ଅନ୍ଧାର
  • ବଜ୍ରାଘାତରେ ଜଳିଗଲା ଗଛ
  • ଉପୁଡ଼ି ପଡ଼ିଲା ଗଛ, ବନ୍ଦ ହୋଇଗଲା ରାସ୍ତା
  • ଆଠଗଡ଼ାରେ ଉଡ଼ିଲା ଆଜବେଷ୍ଟସ୍

ଅଚନାକ ହୋଇଗଲା ଅନ୍ଧାର । ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ । କାଳବୈଶାଖି ପ୍ରଭାବରେ ବିଜୁଳି ଘଡଘଡ ସହ ପ୍ରବଳ ବର୍ଷା ଯୋଗୁଁ ଠପ୍ ହୋଇଗଲା ଜୀବନ ଯାତ୍ର । ନା’ ଆଗକୁ ରାସ୍ତା ଦେଖାଯାଉଥିଲା, ନା’ ଯାତାୟତ କରିବା ସମ୍ଭବ ହେଉଥିଲା । କିଛି ସ୍ଥାନରେ ବଜ୍ରାପାତର ଭୟାବହତା ଆଖିରେ ଜଳଜଳ ଦେଖାଯାଉଥିଲା, ଆଉ ବିଜୁଳି ମାଡ଼ରେ ଜଳୁଥିଲା ଗଛ ।

କାଳବୈଶାଖୀର ପ୍ରଭାବରେ ବର୍ଷାରେ ବିଜିଥିଲା ବାଙ୍କୀ । କିଛି ଘଣ୍ଟାର ବର୍ଷା ଓ ପବନର ମାଡ଼ରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ବିଛାଡ଼ି ପଡ଼ିଥିଲା । ବାଙ୍କୀ-କଟକ ରାସ୍ତାର କୁଶପଙ୍ଗି ନିକଟରେ ଗଛ ପଡ଼ିଯିବାର, ଯାତାୟତ ଠପ୍ ହୋଇଯାଇଥିଲା । ଆଠଗଡରେ ଏତେ ଜୋରରେ ପବନ ହୋଇଥିଲା ଯେ, ହୋଟେଲ ଛାତ ଉଡାଇ ନେଇଛି । ହୋଟେଲ ଭିତରେ ଲୋକେ ଖାଉଥିବା ବେଳେ ପବନ ଯୋଗୁଁ ହୋଟଲ ଉପରେ ପଡିଥିବା ଆଜବେଷ୍ଟସ୍ ଉଡିଯାଇଛି ।

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା, ବୋରିଗୁମ୍ମା, ଲମତାପୁଟ, ଜୟପୁର, ନନ୍ଦପୁର ଓ କୁନ୍ଦୁରାରେ ପ୍ରବଳ ବଜ୍ରପାତ ଦେଖିବାକୁ ମିଳିଛି । ଏପଟେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଭୁବନେଶ୍ୱରରେ କିଛି ସମୟର ବର୍ଷାରେ ନୟାନ୍ତ ହୋଇପଡ଼ିଛି ସହର । ଗଡ଼ ଉପୁଡ଼ି ପଡ଼ିଛି, ରାସ୍ତାରେ ସ୍ଥାନେ ସ୍ଥାନେ ପାଣି ଜମିଛି ।

ଓଡ଼ିଶାର ୭ଟି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ପୁରୀ, ଜଗତସିଂହପୁର, ଯାଜପୁର, ନୟାଗଡ଼, ଢ଼େଙ୍କାନାଳ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଘଡଘଡି ବର୍ଷା ହେବା ସାଙ୍ଗକୁ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିଛି ।