ନୂଆ ସଂସଦ ଭବନ ଉଦଘାଟନୀ ରାଜନୀତି, ଟାର୍ଗେଟରେ ମୋଦୀ!

286

କନକ ବ୍ୟୁରୋ: ନୂଆ ସଂସଦ ଭବନ ଯେତେ ବଡ଼ ଓ ଭବ୍ୟ । ଏହାର ଉଦଘାଟନକୁ ନେଇ ବିରୋଧ ଆହୁରି ବଡ଼ ହେବାରେ ଲାଗିଛି । ମାତ୍ର କିଛି ବିରୋଧୀ ଦଳଙ୍କ ବିରୋଧରୁ ଆରମ୍ଭ ହୋଇଥିବା ଏହ ପ୍ରସଙ୍ଗରେ ଏବେ ଏକାଠି ହୋଇଛନ୍ତି ୨୧ ଦଳ । ମେ’ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଭବ୍ୟ ସଂସଦ ଭବନକୁ ଉଦଘାଟନ କରିବେ । ଏଥିପାଇଁ ଲୋକସଭା ବାଚସ୍ପତି ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ୨୧ ବିରୋଧୀ ଦଳ ଏହି ଉଦଘାଟନ ସମାରୋହର ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି । ବାସ୍ତବରେ ବିରୋଧୀ ଦଳ ମହାମହିମଙ୍କ ଦ୍ୱାରା ଏହାର ଉଦଘାଟନ କରାଇବାକୁ ଚାହୁଁଛନ୍ତି ନା ଏହା ପଛରେ ରହିଛି ଆଉ କିଛି କାରଣ । ଅସଲ କଥା ହେଉଛି ବିରୋଧୀ ୨୦୨୪ ପୂର୍ବରୁ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରି ରାଷ୍ଟ୍ରପତିଙ୍କୁ ସଂସଦ ଭବନ ଉଦଘାଟନ କରିବା କଥା ଉଠାଇଥିଲେ । ପରେ କଂଗ୍ରେସ ଏହାକୁ ବଡ଼ ପ୍ରସଙ୍ଗ କରିଥିଲା । ଧୀରେ ଧୀରେ ବିରୋଧୀଗୁଡ଼ିକ ମଧ୍ୟ ଏହାକୁ ସମର୍ଥନ ଦେଇଥିଲେ । କିନ୍ତୁ ଏବେ କଂଗ୍ରେସ ଦଳରେ ଏହି ପ୍ରସଙ୍ଗକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କଂଗ୍ରେସର କିଛି ନେତା ସଂସଦ ଭବନକୁ ମହାମହିମଙ୍କ ଦ୍ୱାରା ଉଦଘାଟନ କରିବା କଥା କହୁଛନ୍ତି । କିନ୍ତୁ ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣା ଓଲଟା ବୟାନ ଦେଇଛନ୍ତି । କହିଛନ୍ତି, ଦେଶର ସଂସଦ ଭବନର ଉଦଘାଟନ ଭାରତର ପ୍ରଧାନମନ୍ତ୍ରୀ କରିବେନି ତ କ’ଣ ପାକିସ୍ତାନ ପ୍ରଧାନମନ୍ତ୍ରୀ କରିବେ ।

ଭବ୍ୟ ଓ ଆଧୁନିକ ସୁବିଧାକରଣରେ ଭରପୂର ଦେଶର ନୂଆ ସଂସଦ ଭବନ ପୂରା ପ୍ରସ୍ତୁତ । କିନ୍ତୁ ଏହାର ଉଦଘାଟନକୁ ନେଇ ରାଜନୀତି ଜୋର ଧରିଛି । ଉଦଘାଟନ ସମାରୋହକୁ ବର୍ଜନ କରିବାକୁ ଥିବା ରାଜନୈତିକ ଦଳର ସଂଖ୍ୟା ବଢ଼ିବାରେ ଲାଗିଛି । ଉଦଘାଟନ ସମାରୋହରେ ସାମିଲ ନହେବାକୁ ଥିବା ଦଳଗୁଡ଼ିକ ହେଲେ, କଂଗ୍ରେସ, ଡିଏମକେ, ଆମ ଆଦମୀ ପାର୍ଟି, ଶିବସେନା (ୟୁବିଟି), ସମାଜବାଦୀ ପାର୍ଟି,  ସିପିଆଇ, ସିପିଏମ୍, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କେରଳ କଂଗ୍ରେସ (ମଣି), ବିସିକେ, ରାଷ୍ଟ୍ରୀୟ ଲୋକଦଳ, ରାଷ୍ଟ୍ରୀୟ ଜନତା ଦଳ, ତୃଣମୂଳ କଂଗ୍ରେସ, ଜେଡିୟୁ, ଏନସିପି, ଇଣ୍ଡିଆନ୍ ୟୁନିୟନ ମୁସଲିମ ଲିଗ୍, ନ୍ୟାଶନାଲ୍ କନଫରେନ୍ସ, ଆରଏସପି, ଏମଡିଏମକେ, ଏଆଇଏମଆଇଏମ୍ ।

ଗୋଟିଏ ପଟେ ୨୧ ବିରୋଧୀ ଦଳ ଉଦଘାଟନ ସମାରୋହକୁ ବର୍ଜନ କରିବାକୁ ଘୋଷଣା କରିଛନ୍ତି । ଅନ୍ୟପଟେ କିଛି ଅଣ ଏନଡିଏ ଦଳ ଉଦଘାଟନ ଉତ୍ସବରେ ସାମିଲ ହେବା କଥା କହିଛନ୍ତି । ଯେଉଁଥିରେ ବିଜେପି ସହ ବିଜେଡି, ଶିବସେନା (ଏକନାଥ ସିନ୍ଦେ), ତେଲୁଗୁ ଦେଶମ ପାର୍ଟି, ଶିରୋମଣି ଅକାଳି ଦଳ, ୱାଇଏସଆର କଂଗ୍ରେସ, ନ୍ୟାଶନାଲ ପିପୁଲ୍ସ ପାର୍ଟି, ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା, ଏନଡିପିପି, ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି, ଅପନା ଦଳ (ସୋନେଲାଲ), ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ, ତାମିଲ ମନିଲା କଂଗ୍ରେସ, ଏଆଇଏଡିଏମକେ, ଏଜେଏସୟୁ, ମିଜୋ ନ୍ୟାଶନାଲ୍ ଫ୍ରଣ୍ଟ ।

ସେପଟେ ଏବେବି କିଛି ଦଳ ଉଦଘାଟନୀ ସମାରୋହରେ ସାମିଲ ହେବେ କି ନାହିଁ, ସେ ନେଇ କିଛି ନିଷ୍ପତି ନେଇନାହାନ୍ତି । ଯେଉଁଥିରେ ବିଏସପି ସୁପ୍ରିମୋ ମାୟାବତୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଦଳ ବିଆରଏସ ସାମିଲ ଅଛି ।