ଏଥର ରାଜ୍ୟରେ କମ୍ ଅନୁଭୂତ ହେବ ଶୀତ : ଆକଳନ କଲେ ପାଣିପାଗ ବିଶେଷଜ୍ଞ

178

କନକ ବ୍ୟୁରୋ : ଏଥର ରାଜ୍ୟରେ ଶୀତର ପ୍ରକୋପ କମ୍ ହୋଇପାରେ । ଶୀତର ଆଗମନ ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ, ନଭେମ୍ବର ଓ ଡିସେମ୍ବରରେ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ଅଧିକ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଶୀତ କମ୍ ରହିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଓଡ଼ିଶା ସମେତ ପୂର୍ବ ଭାରତର ରାଜ୍ୟ ଗୁଡ଼ିକରେ ମଧ୍ୟ ଶୀତ କମ୍ ରହିବ ବୋଲି ସୂଚନା ଦେଇଛନ୍ତି ।

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଶୀତ ଋତୁରେ ବିଶ୍ୱ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ । ଫେବୃଆରୀ ମାସ ଯାଏଁ ତାପମାତ୍ରା ଅଧିକ ରହିବାର ସମ୍ଭାବନା ରହିଛି । ନଭେମ୍ବରରେ ସାରା ରାଜ୍ୟରେ, ଡିସେମ୍ବରରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ଓ ଜାନୁଆରୀ ତଥା ଫେବୃଆରୀରେ ସମଗ୍ର ଉପକୂଳରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ । ଫଳରେ ଶୀତ କମ୍ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।

ସେହିପରି ନଭେମ୍ବର ଓ ଜାନୁଆରି ୨୦୨୩ ରାଜ୍ୟରେ ବର୍ଷା ସ୍ବାଭାବିକଠାରୁ କମ୍‌ ହୋଇପାରେ। ଅକ୍ଟୋବର ୨୩ ତାରିଖରେ ଗ୍ରୀଷ୍ମ ମଣ୍ଡଳୀୟ ପ୍ରଶାନ୍ତ ମହାସାଗର ଓ ଏହାର ଉପରିସ୍ଥ ବାୟୁମଣ୍ଡଳର ସ୍ଥିତିରୁ ଜଣାପଡ଼ୁଛି, ୩ବର୍ଷ ହେଲା ଚାଲୁ ରହିଥିବା ଲା-ନିନା ଆସନ୍ତା ଜାନୁଆରି ୨୩ ତାରିଖ ପର୍ଯ୍ୟନ୍ତ ରହିବ । ତା’ ପରେ ନ୍ୟୁଟ୍ରାଲକୁ ଫେରିପାରେ ।