୭୨ ଜଣିଆ ପରିବାର; ଦିନକୁ ୧୦ ଲିଟର କ୍ଷୀର ସାଙ୍ଗକୁ ୧୨୦୦ ଟଙ୍କା ପରିବା ଖର୍ଚ୍ଚ, ଏଭଳି ଚଳନ୍ତି ପରିବାରର ବୋହୂ ।

5,760

କନକ ବ୍ୟୁରୋ: ପରିବାରର ୪ ପିଢି ଏକା ସାଙ୍ଗରେ ଗୋଟିଏ ଛାତ ତଳେ ରହୁଛନ୍ତି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ନିଆରା ପରିବାର ରହିଛି ମହାରାଷ୍ଟ୍ରର ସୋଲାପୁରରେ । ପରିବାରର ମହିଳାଙ୍କ ପାଇଁ ପ୍ରଥମେ ପ୍ରଥମେ ପରିବାର ଚଳାଇବା ଏକ ବଡ ଚ୍ୟାଲେଞ୍ଜ ଥିବାବେଳେ କ୍ରମେ ଜୀବନ ସେମାନଙ୍କ ପାଇଁ ସାମାନ୍ୟ ହୋଇଯାଇଥିଲା । ଏବେ ହସଖୁସି ଭିତରେ ଦିନ କଟୁଛି ବୋଲି କହୁଛନ୍ତି ଘରର ବୋହୂମାନେ ।

ଗୋଟିଏ ଛାତ ତଳେ ରହୁଛନ୍ତି ୭୨ ସଦସ୍ୟ ଥିବା ଗୋଟିଏ ପରିବାର । ମହାରାଷ୍ଟ୍ର ସୋଲାପୁରର ଏହି ପରିବାରର ଏକତା ଏବେ ଚର୍ଚ୍ଚାରେ । ପ୍ରତିଦିନ ଏହି ପରିବାରରେ ଖର୍ଚ୍ଚ ହୁଏ ୧୦ରୁ ଅଧିକ ଲିଟର କ୍ଷୀର ସାଙ୍ଗକୁ ପାଖାପାଖି ୧୨୦୦ ଟଙ୍କାର ପରିବା । ଏହି ପରିବାରରେ ପୁରା ବର୍ଷକ ପାଇଁ ପାଖାପାଖି ୪୦ରୁ ୫୦ କ୍ୱିଣ୍ଟାଲ ଚାଉଳ, ଗହମ କିଣାହୋଇ ମହଜୁଦ ରଖାଯାଏ ।

୧୦୦ ବର୍ଷ ପୂର୍ବରୁ ଏହି ପରିବାରର ମୁଖିଆ କର୍ଣ୍ଣାଟକରୁ ସୋଲାପୁର ଆସିଥିଲେ । ଏହିଠାରେ ବ୍ୟବସାୟ ଆରମ୍ଭ କଲେ । ଏବେ ତାଙ୍କ ବେପାର ବଢିବା ସାଙ୍ଗକୁ ପରିବାର ବି ବଢିଛି । ପରିବାର ସଦସ୍ୟଙ୍କ ସଂଖ୍ୟା ଏବେ ୭୨ରେ ପହଞ୍ଚିଛି । ପରିବାରରେ ଶିଶୁ ଜନ୍ମନେଲେ ସେମାନଙ୍କ ଲାଳନପାଳନ ପାଇଁ ମା’କୁ କଷ୍ଟ କରିବାକୁ ପଡେନାହିଁ । ସମସ୍ତେ ମିଳିମିଶି ତା’ର ଯତ୍ନ ନିଅନ୍ତି । ସବୁଠାରୁ ମଜା କଥା ହେଲା ଏହି ପରିବାରର ପିଲାମାନଙ୍କୁ ବାହାରକୁ ଖେଳିବାକୁ ଯିବାକୁ ପଡେନାହିଁ । ନିଜ ନିଜ ଭିତରେ ହିଁ ଏମାନେ ବେଶ୍ ମଜା କରନ୍ତି ।

ଏହି ପରିବାରର କାହାଣୀ ସୋସିଆଲ ମିଡିଆରେ ଆସିବା ପରେ ଏହାକୁ ୟୁଜର୍ସମାନେ ପ୍ରତିକ୍ରିୟା ଦେଇଛନ୍ତି । କିଏ ଏହାକୁ ସଂସ୍କୃତିର ପରାକାଷ୍ଠା ବୋଲି କହିଥିବାବେଳେ ଆଉ କେହି ଏହାକୁ ଅଦ୍ଭୁତ ପରିବାର ବୋଲି କହି ପ୍ରଶଂସା କରିଛନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟ ଏହାକୁ ନେଇ ଷ୍ଟୋରୀ ବନାଇଛନ୍ତି । ଏହାର କ୍ୟାପସନ୍ ରହିଛି ‘ଏକ ଭାରତୀୟ ଯୌଥ ପରିବାରର ସୁନ୍ଦରତା’ ।