ଆକାଶରୁ ହେଉଛି ଅଗ୍ନିବର୍ଷା । ଚିନ୍ତା ବଢାଇଲା ପାଣିପାଗ ବିଭାଗର ଆକଳନ । ଆହୁରି ୫ ଦିନ ରହିବ ତାତି ।

314

କନକ ବ୍ୟୁରୋ: ଆଜି ସମ୍ବଲପୁରରେ ଯେମିତି ଅଗ୍ନିବର୍ଷା ହୋଇଛି । ସମ୍ବଲପୁରରେ ଆଜି ତାପମାତ୍ରା ୪୬.୧ଡିଗ୍ରୀରେ ପହଞ୍ଚିଯାଇଛି । ଯାହାକି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ବୋଲି କୁହାଯାଉଛି । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରାଯାଇଛି । କେବଳ ସମ୍ବଲପୁର କି ଭୁବନେଶ୍ୱର ନୁହେଁ, ପଶ୍ଚିମରୁ ପୂର୍ବ, ଉପକୂଳରୁ ଉପାନ୍ତ, ସାରା ଓଡିଶା ଜଳୁଛି । ପ୍ରବଳ ଗରମ ସାଙ୍ଗକୁ ଅହସ୍ୟ ଗୁଳୁଗୁଳି ଜନଜୀବନକୁ କଲବଲ କରୁଛି । ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଝାଞ୍ଜି ପବନ ବହୁଛି । ମୁହଁ ହାତ ପୋଡି ଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜୁନ୍ ମାସରେ ବା ଆଷାଢ଼ରେ ଯେତେବେଳେ ରାଜ୍ୟରେ ମୌସୁମୀ ଆସି ବର୍ଷିବା କଥା ସେତିକିବେଳେ, ଏଭଳି ସ୍ଥିତି ରାଜ୍ୟବାସୀଙ୍କ ହନ୍ତସନ୍ତ କରୁଛି । ଆଗକୁ ଆହୁରି ୫ ଦିନ ମଧ୍ୟ ଏଭଳି ଅବସ୍ଥା ଲାଗି ରହିବ ବୋଲି ପାଣିପାଗ ବିଭାଗର ଆକଳନ ଚିନ୍ତା ବଢ଼ାଇ ଦେଇଛି ।