ଦେଶର ବିଭିନ୍ନ ରାଜ୍ୟରେ ଲାଗି ରହିଛି ବନ୍ୟା ସମସ୍ୟା । ବାରଣାସୀର ଅନେକ ଅଞ୍ଚଳ ଜଳମଗ୍ନ

69

କନକ ବ୍ୟୁରୋ : ଦେଶର ବିଭିନ୍ନ ରାଜ୍ୟରେ ଏବେ ବି ଜାରି ରହିଛି ବନ୍ୟା ସମସ୍ୟା । ବିଶେଷ କରି ଉତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ ପିଛା ଛାଡୁନି ବନ୍ୟା । ଉତରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ଗଙ୍ଗା ଓ ବରୁଣାରେ ବନ୍ୟା ଆସିବାରୁ ବାରଣାସୀର ଅନେକ ଅଂଚଳ ଜଳମଗ୍ନ ହୋଇଛି । ରାସ୍ତା ଘାଟ ସବୁଠି ବନ୍ୟାଜଳ ବୁଡି ରହିଛି । ରାଜ୍ୟର ୧୮ଟି ଜିଲ୍ଲାର ୧୧ଶହରୁ ଅଧିକ ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି ।

ଘାଟ ରାସ୍ତାରେ ବନ୍ୟାଜଳ ଆସି ବାରଣାସୀ ସହରରୁ ରାମନଗର ପର୍ଯ୍ୟନ୍ତ ସଂଯୋଗ ରାସ୍ତାକୁ ଭାଙ୍ଗିଦେଇଛି । ରାଜ୍ୟରେ ବନ୍ୟାସ୍ଥିତି ନେଇ ପ୍ରଶାସନ ସର୍ତକ ରହିଛି । ସହରରେ ୧୯ଟି ବନ୍ୟା ସହାୟତା ଶିବିର ସ୍ଥାପନ କରାଯାଇଛି, ଯେଉଁଥିରେ ୬୬୧ ପରିବାରର ୩ହଜାର ୪୩୨ ଲୋକଙ୍କୁ ଆଶ୍ରୟ ନେଇଛନ୍ତି । ସେହିପରି ରିଲିଫ ଓ ଉଦ୍ଧାର ପାଇଁ ୫୮ଟି ଡଙ୍ଗା ନିୟୋଜିତ କରାଯାଇଛି    । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି । ସେପଟେ ପଶ୍ଚିମବଙ୍ଗର ସିଲିଗୁଡିରେ ବି ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ରାସ୍ତାଘାଟ ସବୁଠି ଜଳମଗ୍ନ ହୋଇଥିବା ବେଳେ ଲୋକେ ଘରୁ ବାହାରକୁ ବାହାରିବା ଏକପ୍ରକାର ମୁସ୍କଲି ହୋଇପଡିଛି ।