ଫାଇନ୍ ଦେଇ କଲେ ଗଣେଶ ପୂଜା। ବଡ଼ ମୂର୍ତ୍ତି କରିଥିବାରୁ ଗଣିଲେ ତଣ୍ଡ। 

271

କନକ ବ୍ୟୁରୋ: ଭୁବନେଶ୍ୱର ବଡଗଡ, ନୟାପଲ୍ଲୀ ଓ ସହିଦନଗର । ସବୁ ପୂଜା ମଣ୍ଡପରେ ଗଣେଶଙ୍କ ମୂର୍ତ୍ତିର ଉଚ୍ଚତା ୪୫ ଫୁଟ୍ରୁ ଅଧିକ । ହେଲେ ରାଜ୍ୟ ସରକାରଙ୍କ ଦି ଓଡିଶା ପ୍ରିଭେନ୍ସନାଲ ଆଣ୍ଡ କଣ୍ଟ୍ରୋଲ ଅଫ୍ ୱାଟର ପଲ୍ୟୁସନ୍ ରୁଲ୍ସ- ୨୦୨୧ ଅନୁସାରେ ମୂର୍ତିଗୁଡିକର ଉଚ୍ଚତା ସର୍ବାଧିକ ୨୦ ଫୁଟ୍ ଏବଂ ମେଢ ସହ ମୂର୍ତିର ଉଚ୍ଚତା ୪୦ ଫୁଟ୍ ରହିବା କଥା । ନିୟମ ଉଲ୍ଲଂଘନ କଲେ ମହାନଗର ନିଗମ ଅଞ୍ଚଳର ପୂଜା କମିଟିଗୁଡିକୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବ ବୋଲି ବ୍ୟବସ୍ଥା ରହିଛି । ସ୍ଥାନୀୟ ପ୍ରଶାସନ ବ୍ୟାଙ୍କ ଡ୍ରାଫ୍ଟ ଆକାରରେ ଏହି ଜରିମାନା ଆଦାୟ କରିବେ । ତେବେ ପୂଜାମଣ୍ଡପ ଗୁଡିକୁ ଏହି ନିୟମ ବାବଦରେ ଜଣାନଥିବାରୁ ଏବର୍ଷ ବିରାଟ ମୂର୍ତି କରିଛନ୍ତି ।

କରୋନା ଯୋଗୁଁ ୨ ବର୍ଷ ହେଲା ବଡ ଆକାରରେ ପୂଜା ଆୟୋଜନ ହୋଇପାରୁନଥିଲା । ଏଥର କରୋନା ପ୍ରଭାବ କମିଥିବାରୁ ପୂଜା ମଣ୍ଡପଗୁଡିକ ବେଶ ଉତ୍ସାହିତ ଅଛନ୍ତି । ନିଜ ନିଜ ପୂଜା ପେଣ୍ଡାଲ ଆଡକୁ ଅଧିକ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ରାଜଧାନୀର କେତେକ ସ୍ଥାନରେ ମୂର୍ତି ଓ ମେଢର ଉଚ୍ଚତା ଖୁବ ବିଶାଳ କରାଯାଇଛି । ଏପରିକି ଫାଇନ ପଛେ ଦେବେ ଆଉ ମୂର୍ତି ଛୋଟ କରିପାରିବେ ନାହିଁ ବୋଲି କହିଛନ୍ତି ପୂଜା କମିଟି ସଦସ୍ୟ ।

ପୂଜା ମଣ୍ଡପର ଅର୍ଡର ମୁତାବକ ସ୍କୁଲ ପିଲା ବେଶରେ ଗଣେଶ ଓ ରୁଦ୍ର ରୂପରେ ଗଣେଶଙ୍କ ମୂର୍ତି ତିଆରି କରିଥିଲେ କଟକ କୁମ୍ଭାରସାହିର କାରିଗର । ହେଲେ କୋର୍ଟଙ୍କ ଶୁଣାଣି ପରେ ପୋଲିସ ଉପରେ ନିଷ୍ପତି ଛଡାଯିବାରୁ ସେହି ମୂର୍ତିକୁ ବଦଳାଇବାକୁ ବାଧ୍ୟ ହୋଇଛନ୍ତି କାରିଗର । ସମାନ ମୂର୍ତି ପୂଜା ମଣ୍ଡପକୁ ଆସିଛି ସତ, ହେଲେ ଭିନ୍ନ ରୂପରେ । ଗୋଟିଏ ପଟେ ଫାଇନ ସହ ପୂଜା ମଣ୍ଡପରେ ଗଣେଶଙ୍କ ପୂଜା, ଅନ୍ୟପଟେ କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେଇ ବଦଳିଛି ମୂର୍ତିର ସ୍ୱରୂପ । ତମାମ ବିବାଦ ଭିତରେ ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱରରେ ପୂଜା ପାଇଛନ୍ତି ଅଗ୍ରପୂଜ୍ୟ ମହାପ୍ରଭୁ ଶ୍ରୀଗଣେଶ ।