ଦେଶରେ ଦିନକରେ ୨୭ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ । ଓଡ଼ିଶାରେ ୨୪ଘଣ୍ଟାରେ ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

154

କନକ ବ୍ୟୁରୋ : ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ୨୫ ହଜାର ପାର କଲାଣି ଦୈନିକ ସଂକ୍ରମଣ । ୨୪ ଘଂଟାରେ ଦେଶରେ ୨୭ ହଜାର ୫୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେଣି । ଦିନକରେ ଦେଶରେ ସଂକ୍ରମଣ ୨୧ ପ୍ରତିଶତ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଦିନକରେ ୨୮୪ ଜଣଙ୍କ ଜୀବନ ନେଇଛି ମହାମାରୀ । ସେହିପରି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୫୨୫ରେ ପହଂଚିଛି । ମହାରାଷ୍ଟ୍ରରୁ ସର୍ବାଧିକ ୪୬୦ ଜଣ ସଂକ୍ରମିତ ହୋଇଛନ୍ତି । ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନାର ବିସ୍ଫୋରକ ସ୍ଥିତି ଦେଖିବାକୁ ମିଳିଛି । ଦ୍ରୁତ ଗତିରେ ମାଡୁଛି ଚାଲିଛି କରୋନା । ମୁମ୍ବାଇରେ ସ୍ଥିତି ଉଦବେଗଜନକ ହୋଇଛି । ଗତକାଲି ଗୋଟିଏ ଦିନରେ ମୁମ୍ବାଇରେ ୬ ହଜାର ୩୪୭ ନୂଆ ମାମଲା ସାମ୍ନାକୁ ଆସିଛି । ଗୋଟିଏ ଦିନରେ ମୁମ୍ବାଇରେ ମାମଲା ୧୨ ପ୍ରତିଶତ ବୃଦ୍ଧି ପାଇଛି ।
ବଡ଼ କଥା ହେଉଛି ୫ ହଜାର ୭୧୨ ନୂଆ ମାମଲାରେ କୌଣସି ଲକ୍ଷଣ ନାହିଁ । ମୁମ୍ବାଇରେ ୫୫ ପ୍ରତିଶତ ନମୁନାରେ ଓମିକ୍ରନ୍ ଭାରିଆଂଟ ଓ ୩୨ ପ୍ରତିଶତ ଡେଲ୍ଟା ଭାରିଆଂଟ ରହିଥିବା ପରୀକ୍ଷାରୁ ଜଣାପଡ଼ିଛି । ସେପଟେ ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ଥିତି ଗମ୍ଭୀର ହେଲାଣି । ୨୪ ଘଂଟାରେ ଦିଲ୍ଲୀରେ ୩ ହଜାର ୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଦିଲ୍ଲୀରେ ସଂକ୍ରମଣ ମାମଲା ୫୧ ପ୍ରତିଶତ ବୃଦ୍ଧି ପାଇଛି । ମେ’ ମାସ ପରେ ଏହା ଦିଲ୍ଲୀରେ ସର୍ବାଧିକ ଦୈନିକ ସଂକ୍ରମଣ । ଦିଲ୍ଲୀରେ ଏବେ ପଜିଟିଭ୍ ହାର ୩.୬୪ ପ୍ରତିଶତ ରହିଛି ।
ଏପଟେ ରାଜ୍ୟରେ ମଧ୍ୟ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ୪ ଶହ ପାର କରିଛି । ରାଜ୍ୟରୁ ଦିନକରେ ୪୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେନ୍ଟାଇନ୍ରୁ ୨୪୯ ଓ ଲୋକାଲ କଂଟାକ୍ଟ ୧୭୫ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୬୭ ଜଣ ଅଛନ୍ତି । କରୋନା ସଂକ୍ରମଣ ବଢୁଥିବା ବେଳେ ଚିନ୍ତା ବଢାଇଲାଣି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧାରେ ସର୍ବାଧିକ ୧୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ଲଗାତର ୧୦୦ ଉପରେ ପଜିଟିଭ୍ ଆସୁଛି । ରାଜ୍ୟରେ ୭ ଦିନରେ ୩୦୧ ସଂକ୍ରମଣ ବଢିଲାଣି । ଡିସେମ୍ବର ୨୭ ତାରିଖରେ ରାଜ୍ୟରେ ଦୈନିକ ସଂକ୍ରମଣ ୧୨୩ ଥିବା ବେଳେ ଏବେ ୪୨୪ରେ ପହଂଚିଲାଣି ।