କୋଣାର୍କ ଧନୁଆ ନଦୀରେ ୩୦ ଫୁଟର ଘାଇ : ଗୋପ ଓ ସତ୍ୟବାଦୀ ବ୍ଲକର ଅନେକ ପଞ୍ଚାୟତ ପ୍ରଭାବିତ

250

କନକ ବ୍ୟୁରୋ : କୋଣାର୍କ ଧନୁଆ ନଦୀରେ ୩୦ ଫୁଟର ଘାଇ । କୁଶଭଦ୍ରା ନଦୀର ପାଣି ମାଡି ଆସିବାରୁ ଧନୁଆ ନଦୀର ଜଳସ୍ତର ବଢିଛି । ପରେ ଏକ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । ଏହାଦ୍ୱାରା ଗୋପ ଓ ସତ୍ୟବାଦୀ ବ୍ଲକର ଅନେକ ପଞ୍ଚାୟତ ପ୍ରଭାବିତ ହୋଇଛି । ରାସ୍ତା ଉପରେ ପାଣି ମାଡିଯିବାରୁ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଗାଁରେ ଏବେ ବେକେ ଉଚ୍ଚର ପାଣି ଲହଡି ମାରୁଥିବା ସୂଚନା ରହିଛି ।

ସେପଟେ, ଭୋଗରାଇ ନିକଟରେ ସୁବର୍ଣ୍ଣରେଖାର ଜଳସ୍ତର ଲଗାତାର ବଢିବାରେ ଲାଗିଛି । ଯାହାକୁ ନେଇ ନଈକୁଳିଆ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ନଦୀବନ୍ଧ ଉପରେ ଆସି ଲୋକେ ଜଗି ରହିଛନ୍ତି । ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଥିବା ବେଳେ ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ଜଳ ସଂପଦ ବିଭାଗର ଅଧିକାରୀ ଓ ସ୍ଥାନୀୟ ବାସିନ୍ଦା ଜଗିରହିଛନ୍ତି । ଉତ୍ତର ଓଡିଶାରେ ବଡ ଧରଣର ବନ୍ୟା ଆସିବା ନେଇ ଏସଆରସିଙ୍କ ସୂଚନା ପରେ ମୁକାବିଲା ପ୍ରସ୍ତୁତି ଆରମ୍ଭ ହୋଇଛି । ବନ୍ୟା ଯୋଗୁଁ ପ୍ରଭାବିତ ହେବା ଅଂଚଳରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସଜାଗ ଅଛନ୍ତି । ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।