କମୁଛି ସୁବର୍ଣ୍ଣରେଖାର ଜଳସ୍ତର: ଗାଁରୁ ଛାଡୁନି ପାଣି, ନଈବନ୍ଧ ପାଲଟିଛି ସାହାରା

76

କନକ ବ୍ୟୁରୋ: ବାପାଙ୍କ କାନ୍ଧରେ କୁନି ଶିଶୁ । ଜଣକୁ କାନ୍ଧରେ, ଆର ଜଣକୁ ଛାତିରେ ଧରି ପାଣି ଘେର ଦେଇ ନଦୀବନ୍ଧକୁ ଆସୁଛି ବାପା । ଟ୍ୟୁବ ସହାୟତାରେ ଗାଁ ଦାଣ୍ଡ ପାରି ହେଉଛନ୍ତି କୁନି କୁନି ଝିଅ । ବାଲେଶ୍ୱର ଜିଲ୍ଲା ବନ୍ୟା ପ୍ରଭାବିତ ଭୋଗରାଇର ଏ ହେଉଛି ଦୃଶ୍ୟ । ଭୋଗରାଇର ବ୍ଲକର ୫୦ଟି ପଂଚାୟତ ମଧ୍ୟରୁ ୨୪ଟି ପଂଚାୟତରେ ବନ୍ୟା ପାଣି ପଶିିଛି । ଘର ଅଛି ହେଲେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନାହିଁ । ଗାଁରେ, ଘରେ ଆଣ୍ଠୁଏ ଉଚ୍ଚର ପାଣି ବୋହୁଛି । ସ୍ଥିତିକୁ ଦେଖି ପରିବାର ସହ ନଦୀବନ୍ଧକୁ ଉଠି ଆସିଛନ୍ତି ଗ୍ରାମବାସୀ । ଜରିପାଲ ତଳେ ଓ ରିଲିଫ ଖାଦ୍ୟରେ ବିତୁଛି ବନ୍ୟା ବିପନ୍ନଙ୍କ ଜୀବନ । ସ୍ଥିତି ଏମିତି ହୋଇଛି ଯେ, ଜରିପାଳ ତଳେ ଗୃହପାଳିତ ପଶୁ ସହ ମଣିଷ ରହିବାକୁ ବାଧ୍ୟ ହେଉଛି । ସେପଟେ ବାଲେଶ୍ୱରର ବନ୍ୟା ପ୍ରଭାବିତ ଅଂଚଳ ବୁଲି ସ୍ଥାନୀୟ ଲୋକଙ୍କ ସମସ୍ୟା ପଚାରି ବୁଝିିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଘରର ଛାତକୁ ଛୁଇଁ ପାଣି ବୋହୁଛି । ବାଧ୍ୟ ହୋଇ ଲୋକେ କିଏ ଛାତରେ, କିଏ ମନ୍ଦିର ଉପରେ ଆଶ୍ରୟ ନେଇଛନ୍ତି । ଓରବରସିଂ, ବ୍ରଜମୋହନପୁର, ନରଣଗଡ ପଂଚାୟତର ଅନେକ ପାଣିରେ ବୁଡି ରହିଛି । ଖାଦ୍ୟ, ପେୟଠୁ ଆରମ୍ଭ କରି ନିତ୍ୟକର୍ମ ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ଡଙ୍ଗା ଓ ଟ୍ୟୁବ ଭେଳା ଜରିଆରେ ଲୋକେ ଯିବା ଆସିବା କରୁଛନ୍ତି ।

କଣାସ ବ୍ଲକର ବନ୍ୟାା ପ୍ରଭାବିତଙ୍କୁ ରିଲଫ ବଂଟନକୁ ନେଇ ଉତେଜନା ଦେଖିବାକୁ ମିଳିଛି । ରେ ପକ୍ଷପାତିତା ଅଭିଯୋଗ ଆଣି ବ୍ଲକ ଆଗରେ ଧାରଣା ଦେଇଛନ୍ତି ବ୍ଲକ ଅଧ୍ୟକ୍ଷା ପ୍ରଭାତି ରାଉତ । ସେପଟେ କିଛି ଜନ ପ୍ରତିନିଧି କଣାସ ବିଡିଓଙ୍କୁ ଘେରିଯାଇ ହୋ ହଲ୍ଲା କରିଛନ୍ତି ।

ସେପଟେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ବନ୍ୟା ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରୁଛି । ମହାନଦୀ ସମେତ ଅନ୍ୟ ନଦୀର ସ୍ଥିତିରେ ସୁଧାର ଆସିଛି । ବିଭିନ୍ନ ନଦୀର ଜଳସ୍ତର କମୁଥିବା ବେଳେ କେବଳ ମହାନଦୀ ଅବବାହିକାର ସୃଷ୍ଟି ହୋଇଥିବା ଘାଇର ଅସ୍ଥାୟୀ ମରାମତି ଚାଲିଛି ।

ସୁବର୍ଣ୍ଣରେଖାରେ ଜଳସ୍ତର କମୁଥିଲେ ମଧ୍ୟ ଭୋଗରାଇ ବ୍ଲକର ତଳିଆ ଅଂଚଳରୁ ପାଣି କମୁ ନାହିଁ । ବନ୍ୟା ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନଥିବାରୁ ବନ୍ୟା ପରିସ୍ଥିତିରେ ସୁଧାର ଆସିବାରେ ଡେରି ହେବ ବୋଲି ଚର୍ଚ୍ଚା ହେଉଛି ।