ସମସ୍ୟା ଘେରରେ ୪୪ ବର୍ଷର ମହାବିଦ୍ୟାଳୟ: ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ପାଲଲହଡାର ମାଲ୍ୟଗିରି ମହାବିଦ୍ୟାଳୟ ଛାତ୍ରଛାତ୍ରୀ

52

କନକ ବ୍ୟୁରୋ: ସମସ୍ୟା ଘେରରେ ମହାବିଦ୍ୟାଳୟ । ୪୪ ବର୍ଷର ପୁରୁଣା କଲେଜ ହେଲେ କୌଣସି ପ୍ରକାରର ସୁବିଧା ନାହିଁ । ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ପିଲାମାନେ । ପାଲଲହଡାର ମାଲ୍ୟଗିରି ମହାବିଦ୍ୟାଳୟ । ଭଙ୍ଗାରୁଜା ଘର ସାଙ୍ଗକୁ ଚାରିପଟ ଗଛ ଜଙ୍ଗଲରେ ଭର୍ତି ହୋଇଛି । କଲେଜ ଯିବାକୁ ଭଲ ରାସ୍ତାଟିଏ ବି ନାହିଁ । ରାଜପଥରୁ କଲେଜ ଯିବାର ରାସ୍ତା ସମ୍ପୁର୍ଣ୍ଣ ବିପଦ ସଙ୍କୁଳ । ମାଟି ରାସ୍ତା ସାଙ୍ଗକୁ ଖାଲଖମା ଭର୍ତି ଥିବାବେଳେ ଦୁଇ କଡରେ ରହିଛି ଦୁଇ ଦୁଇଟି ପୋଖରୀ । ୧୨ ଶହରୁ ଅଧିକ ପିଲା ଏଠାକୁ ପଢିବାକୁ ଆସୁଛନ୍ତି । ହେଲେ ସେମାନଙ୍କ ପାଇଁ କୌଣସି ପ୍ରକାରର ସୁରକ୍ଷା ବ୍ୟବସଥା ନାହିଁ । କଲଜର ଭଙ୍ଗା ରୁଜା ଘର ସହିତ ଭଙ୍ଗା ପାଚେରୀ ମୁକୁଳା ହୋଇପଡିଛି । ପ୍ରାୟ ପିଲା ଦୂରଦୂରାନ୍ତରୁ ପଢିବାକୁ ଆସୁଛନ୍ତି । ହେଲେ ସେମାନଙ୍କ ପାଇଁ ରହିବାର କୌଣସି ସୁବିଧା ନାହିଁ । ଛାତ୍ରୀ ନିବାସ ନଥିବାରୁ ଛାତ୍ରୀ ମାନଙ୍କ ପାଇଁ ବହୁ ସମସ୍ୟା ଦେଖିବାକୁ ମିଳୁଛି । କିଛି ପିଲା ଅଧାରୁ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି । ସବୁଠୁ ବଡ଼କଥା ହେଲା କଲେଜ ପରିସରରେ ଠିକାଦାରଙ୍କ ରାଜ ଚାଲିଛି । ଛାତ୍ରଙ୍କ ବିଶ୍ରାମ ଗୃହକୁ ଠିକାଦାର ମାନେ କବଜା କରିନେଇଥିବା ବେଳେ ଶାଳ ଗଛ ମୂଳ ପାଲଟିଛି ଆଶ୍ରୟସ୍ଥଳୀ । ଛାତ୍ରଛାତ୍ରୀ ମାନେ ବିଭିନ୍ନ ସମସ୍ୟା ଦୂର କରିବାକୁ ଦାବି କରିଥିଲେ ବି କୌଣସି ସମାଧାନ ହୋଇପାରିନି । ଏବେ ପୁଣି ପିଲା ମାନେ ଏକାଠି ହୋଇ ସମସ୍ତ ସମସ୍ୟା ଦୂର କରିବା ସହ ଛାତ୍ରୀ ନିବାସ କରିବାକୁ ଦାବି କରିଛନ୍ତି ।