ଦ୍ରୌପଦୀଙ୍କ ନାମାଙ୍କନ ସହ ସରଗରମ ରାଜ୍ୟ ରାଜନୀତି: ବିଜେପି ନେତା କହିଲେ ୨୦୨୪ ପାଇଁ ପଡିଲା ମୂଳଦୁଆ

198

କନକ ବ୍ୟୁରୋ: ଦିଲ୍ଲୀ ସଂସଦ ଭବନରେ ଏନଡିର ତୁଙ୍ଗ ନେତାମାନଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ ପାଇଁ ଦ୍ରୌପଦୀ ମୁର୍ମୁ ଚାଲିଚାଲି ଯାଉଥିବାର, ଦୃଶ୍ୟ ଟିଭି ପରଦାରେ ଦେଖି ଓଡିଆମାନଙ୍କ ଛାତିି କୁଣ୍ଢୋମୋଟ ହୋଇଯାଉଛି । କାରଣ ରାଇରଙ୍ଗପୁରରୁ ରାଇସିନା ହିଲ ଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହାରି ସହିତ ରାଜ୍ୟ ରାଜନୀତି ବି ଜୋରଦାର ହୋଇଛି । କାରଣ ବିଜେପି ନେତା ଖାରବେଳ ସ୍ୱାଇଁ ଦାବି କରିଛନ୍ତି ଯେ, ଏଇଠୁ ରାଜ୍ୟରେ ବିଜେପିର ମୂଳଦୁଆ ପଡିଛି ଏବଂ ୨୦୨୪ରେ ବିଜେପି ସରକାର ଗଢିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଲାଗି ଦ୍ରୌପଦୀ ମୁର୍ମୁଙ୍କ ନାଁକୁ ଘୋଷଣା କଲାବେଳେ ପୂର୍ବାଂଚଳକୁ ଗୁରୁତ୍ୱ ଦିଆଯାଇଥିବା କହିଥିଲେ । ଜଣେ ନିର୍ବିବାଦୀୟ ଆଦିବାସୀ ଚେହେରା ଭାବେ ଦ୍ରୌପଦୀଙ୍କୁ ଆଗକୁ ଆଣି ବିରୋଧୀ ଶିବିରର ଏକାଧିକ ଦଳକୁ ଅଡୁଆରେ ପକାଇ ଦେଇଛି ବିଜେପି । ଏପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନୟାକ କିନ୍ତୁ ଓଡିଶାର ଝିଅ ହୋଇଥିବାରୁ ଦ୍ରୌପଦୀଙ୍କୁ ସମର୍ଥନ କରିବା ପାଇଁ ସବୁ ରାଜନୈତିକ ଦଳକୁ ଅନୁରୋଧ କରି ମାଷ୍ଟ୍ରର ଷ୍ଟ୍ରୋକ୍ ମାରିଛନ୍ତି । କେବଳ ସେତିକି ନୁହେଁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ ଦୁଇଜଣ ମନ୍ତ୍ରୀଙ୍କୁ ପ୍ରସ୍ତାବକ ରଖି ରାଜ୍ୟ ବିଜେପିର ସବୁ ରାଜନୀତିକୁ ଭଣ୍ଡୁର କରିଦେଇଛନ୍ତି ।

ଦେଶର ସର୍ବୋଚ୍ଚ ପଦବୀ ଲାଗି ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ନେଇ ଅଡୁଆରେ ପଡିଯାଇଛି ରାଜ୍ୟ କଂଗ୍ରେସ । ସଂଖ୍ୟା ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ଜିତିବା ଏକପ୍ରକାର ସ୍ପଷ୍ଟ ହୋଇଥିଲେ ମଧ୍ୟ ଦଳୀୟ ନିଷ୍ପତି ଆଧାରରେ ବିରୋଧୀ ଗୋଷ୍ଠୀର ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ କଂଗ୍ରେସର ୯ ବିଧାୟକ ଭୋଟ ଦେବେ ବୋଲି ସ୍ପଷ୍ଟ କରିଛନ୍ତି ପିସିସି ସଭାପତି । ହେଲେ ବିଚାରଧାରାରୁ ଉପରକୁ ଯାଇ କଂଗ୍ରେସ ବିଧାୟକମାନେ ଜଣେ ଆଦିବାସୀ ଓଡିଆ ଝିଅଙ୍କୁ ସମର୍ଥନ କରନ୍ତୁ ବୋଲି ପରାମର୍ଶ ଦେଇଛି ରାଜ୍ୟ ବିଜେପି ।

ଏପଟେ ଦ୍ରୌପଦୀଙ୍କୁ ପ୍ରାଥୀତ୍ୱକୁ ନେଇ କଂଗ୍ରେସର ଆଭିମୁଖ୍ୟ ଉପରେ ବର୍ଷିଛି କଳିଙ୍ଗ ସେନା । ପାର୍ଟି କଥା ଛାଡି ମାଟି କଥା ଚିନ୍ତା ନକଲେ କଂଗ୍ରେସର ୯ ବିଧାୟକ ଓ ଜଣେ ସାଂସଦଙ୍କ ବିରୋଧରେ ଜୋରଦାର ଅଭିଯାନ ଆରମ୍ଭ କରାଯିବା ବୋଲି ସେନା ଧମକ ଦେଇଛି ।