ଜଙ୍ଗଲରୁ ମିଳିଲା ନିଖୋଜ ମହିଳାଙ୍କ ନରକଙ୍କାଳ: ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର

59

କନକ ବ୍ୟୁରୋ: ଜଙ୍ଗଲରୁ ମିଳିଲା ନିଖୋଜ ମହିଳାଙ୍କ କଙ୍କାଳ । ରାୟଗଡ଼ା ଅମ୍ବାଦୋଳା ଥାନା ଅନ୍ତର୍ଗତ ବାଲିଯୋଡ଼ି ଗାଁ ନିକଟ ଜଙ୍ଗଲରୁ ଏକ ଅଖାରେ ଭର୍ତି ହୋଇଥିବା ନରକଙ୍କାଳ ଉଦ୍ଧାର କରିଛି ପୋଲିସ । ତେବେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ କଳାହାଣ୍ଡି ବିଶ୍ୱନାଥପୁର ଥାନା କୁଟ୍ରାଗୁଡ଼ା ଗାଁର ଅନୁସୟା ହରିଜନ ରାୟଗଡ଼ା ଅମ୍ବାଦୋଳା ଥାନା କଦମ୍ବଗୁଡ଼ା ଗାଁର ରାହୁଲ କରକରିଆଙ୍କୁ ପ୍ରେମ ବିବାହ କରିଥିଲେ । ଦୁହେଁ କେରଳରେ ପ୍ରେମ ବିବାହ କରିଥିବା ବେଳେ ମାସକ ତଳେ କେରଳରୁ ଫେରି ବାଲିଯୋଡ଼ି ଗାଁରେ ଥିବା ନଣନ୍ଦଙ୍କ ଘରେ ରହିଥିଲେ ଅନୁସୂୟା ।

ହେଲେ ୧୫ ଦିନ ପରେ ଅନୁସୂୟା କେଉଁଆଡ଼େ ଚାଲିଯାଇଥିବା ନେଇ ରାହୁଲଙ୍କ ଭିଣୋଇ ତାଙ୍କ ସମ୍ପର୍କୀୟଙ୍କୁ ଜଣାଇଥିଲେ । ଏନେଇ ସେପ୍ଟେମ୍ବର ୩ ତାରିଖରେ ଅନୁସୂୟାଙ୍କ ପରିବାର ପକ୍ଷରୁ ଅମ୍ବାଦୋଳା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ବିଶେଷସୁତ୍ରରୁ ଖବର ପାଇ ପୋଲିସ ଜଙ୍ଗଲରୁ ମହିଳାଙ୍କ ମୃତ ଦେହ ଉଦ୍ଧର କରିଛି । ଘଟଣା ସ୍ଥଳରେ ସାଇଂଟିଫିକ୍ ଟିମ୍ ପହଂଚି ଛାନଭିନ୍ ଆରମ୍ଭ କରିଛି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଭିଣୋଇ ଶ୍ରୀଚରଣ ଓ ତାଙ୍କ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖାଯାଇଛି । ଅନ୍ୟପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ରାୟଗଡ଼ା ଏସପି ସୂଚନା ଦେଇଛନ୍ତି ।