ଯାଜପୁରର ବିସ୍ମୟ ମଣିଷ ଶ୍ରୀକାନ୍ତ ସାହୁ: ପିଲାଦିନୁ ଗୋଟିଏ ପାପୁଲି ନାହିଁ, ହେଲେ ସେ ସବୁକାମରେ ପାରଙ୍ଗମ 

66

କନକ ବ୍ୟୁରୋ: ଯାଜପୁରର ବିସ୍ମୟ ମଣିଷ ଶ୍ରୀକାନ୍ତ । ପିଲାଦିନୁ ଡାହାଣହାତର ପାପୁଲି ନାହିଁ, ହେଲେ ଚିତ୍ର ଅଙ୍କିବା, ଗାଡ଼ି ନମ୍ବର ପ୍ଲେଟ୍, ଷ୍ଟିକରିଂ, ମାର୍ବଲ ଆର୍ଟ ଓ ସୋଲରେ ବିଭିନ୍ନ ପ୍ରକାରର ଡିଜାଇନ କରିବା ଏବେ ତାଙ୍କର ପେଶା ଓ ନିଶା ପାଲଟିଛି । ଏହା ସହ ବାଇକରେ ଷ୍ଟଂଟ କରିବା, କାଚ ଚୋବାଇବା ଭଳି ଦୁଃସାହାହସିକ କାମ କରୁଛନ୍ତି ଶ୍ରୀକାନ୍ତ । ତାଙ୍କର ଏଭଳି ଅସାଧାରଣ କଳା ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛି ପ୍ରେରଣା । ନିଜର ପ୍ରକୃତ ଘର କଟକ ଜିଲ୍ଳାରେ ହୋଇଥିବା ବେଳେ ଏବେ ସେ ବଡଚଣା ଖଇରାଠାରେ ସ୍ଥାୟୀ ବାସିନ୍ଦାଭାବେ ରହି ଆସୁଛନ୍ତି । ପିଲାଦିନୁ ଶ୍ରୀକାନ୍ତଙ୍କର ଡାହାଣ ହାତପାପୁଲିଟି ନଥିବାରୁ ଅନେକ ତାଙ୍କୁ ଅକ୍ଷମ ବୋଲି ମନେକରୁଥିଲେ । ମାତ୍ର ତାହାକୁ ସେ ଭୁଲ ବୋଲି ପ୍ରମାଣ କରି ଏବେ ଚର୍ଚାରେ ଅଛନ୍ତି ।

ପରିବାରର ଆର୍ଥିକ ଅନଟନ ଯୋଗୁଁ ଅଧାରୁ ପାଠପଢା ଛାଡି ଶ୍ରୀକାନ୍ତ ସ୍ଥାନୀୟ ପୁରୁଷୋତମ ଆର୍ଟରୁ ଷ୍ଟିକରିଂର ପ୍ରଶିକ୍ଷଣ ନେଇ ବଡଚଣା ବଜାରରେ ଛୋଟିଆ କ୍ୟାବିନଟିଏ ପକାଇ ଗାଡି ଷ୍ଟିକରିଂ କରିଆସୁଛନ୍ତି । ଏଥିସହ ଗ୍ରାନାଇଟ ମାର୍ବଲରେ ଫଳକ ଲେଖିବା, ସୋଲରେ ବିଭିନ୍ନ ଡିଜାଇନ ପ୍ରସ୍ତୁତ କରି ତାକୁ ବିକ୍ରି କରିବା, ବିଭିନ୍ନ ଅଂଚଳର ରଙ୍ଗୀନ ମ୍ୟାପ କରିବା, ୫ଟି ଯୋଜନାରେ ରଙ୍ଗବେରଙ୍ଗ ହେଉଥିବା ବିଦ୍ୟାଳୟର କାରୁକାର୍ଯ୍ୟ କରି ବେଶ୍ ଆରାମରେ ପରିବାର ଚଳାଇ ଆସୁଛନ୍ତି । ଏତଦବ୍ୟତୀତ ନିଜର ଅଲଗା କିଛି ଅନ୍ଦାଜ ପାଇଁ ଚର୍ଚାରେ ଅଛନ୍ତି ଶ୍ରୀକାନ୍ତ । ନିଜର ଭିନ୍ନକ୍ଷମତା ସତ୍ୱେ ବାଇକରେ ଷ୍ଟଂଟ ଦେଖାଇବା, ବାରଲାଇଟ କାଚ, ବଲବ କାଚକୁ ଚୋବାଇବା ତାଙ୍କର ଅନ୍ୟତମ ସଉକ । ଏସବୁ କାର୍ଯ୍ୟ ବିପଦଜନକ ହୋଇଥିଲେ ମଧ୍ୟ ନିଜର ଅଧ୍ୟବସାୟ ବଳରେ ସେ ଏପରି କାର୍ଯ୍ୟ କରି ବେଶ୍ ସାବାସି ପାଉଛନ୍ତି ।