ଖବର ବାଜିଲା, ପ୍ରଶାସନ ଚେତିଲା: ଜୟପୁର ଇନ୍ଦିରା କଲୋନୀ ସ୍କୁଲରେ ଶିକ୍ଷକ ନିଯୁକ୍ତି ପରେ ପାଠ ପଢିଲେ ଛାତ୍ରଛାତ୍ରୀ

36

କନକ ବ୍ୟୁରୋ: ଖବର ବାଜିଲା, ପ୍ରଶାସନ ଚେତିଲା । ଜୟପୁର ବ୍ଳକର ଇନ୍ଦିରା କଲୋନୀରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲାପକାଇଥିଲେ ଗାଁ ଲୋକେ । ଏନେଇ ଖବର ବାଜିବା ପରେ ଜଣେ ଶିକ୍ଷକ ନିଯୁକ୍ତି ହୋଇଛନ୍ତି । ଆଉ ଗାଁ ଲୋକେ ସ୍କୁଲରୁ ତାଲା ଖୋଲିଛନ୍ତି । ପିଲାମାନେ ମଧ୍ୟ ସ୍କୁଲରେ ପାଠପଢୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବିଦ୍ୟାଳୟରେ ପ୍ରଥମରୁ ପଂଚମ ପର୍ଯ୍ୟନ୍ତ କ୍ଲାସ ରହିଥିବା ବେଳେ ସେଠାରେ ଜଣେ ମାତ୍ର ପ୍ରଧାନଶିକ୍ଷକ ଥିଲେ ।

ପୂର୍ବରୁ ଜଣେ ଶିକ୍ଷୟତ୍ରୀ ଥିବା ବେଳେ ତାଙ୍କୁ ଡେପୁଟେସନରେ ଅନ୍ୟତ୍ର ବଦଳି କରାଯାଇଥିଲା । ନୂଆ ଶିକ୍ଷକ ନିଯୁକ୍ତି ନେଇ ବାରମ୍ବାର ଦାବି ପରେ କେହିନଶୁଣିବାରୁ ସ୍କୁଲରେ ତାଲା ପାକାଇଦେଇଥିଲେ ଅଭିଭାବକ । କେବଳ ପ୍ରଧାନଶିକ୍ଷକ ଆସି ବାରଣ୍ଡାରେ ବସି ତାଙ୍କ ଡ଼୍ୟୁଟି କରୁଥିଲେ । ଅନ୍ୟପଟେ ସ୍କୁଲରେ ନୂଆ ଶିକ୍ଷକ ନିଯୁକ୍ତି ନହେଲେ ସ୍କୁଲରୁ ତାଲା ଖୋଲିବେ ନାହିଁ ବୋଲି ଗ୍ରାମବାସୀ ଜିଦ୍ ଧରିଥିଲେ । ଖବର ବାଜିବା ପରେ ସ୍କୁଲରେ ଶିକ୍ଷକ ନିଯୁକ୍ତି ହୋଇଛନ୍ତି । ପିଲାମାନେ ମଧ୍ୟ ସ୍କୁଲରେ ବସି ପାଠପଢି ପାରୁଛନ୍ତି । ଯାହାକୁ ନେଇ ଉଭୟ ଶିକ୍ଷକ ଏବଂ ଗ୍ରାମବାସୀ ବେଶ ଖୁସି ଥିବା ବେଳେ କନକ ନ୍ୟୁଜକୁ ଧନ୍ୟବାଦ ଜଣାଇଛନ୍ତି ।