ମନ୍ତ୍ରୀ ନବ ଦାସ ହତ୍ୟାକୁ ନେଇ ହୁଲସ୍ତୁଲ ବିଧାନସଭା । ବିରୋଧୀ ଦଳର ହୋହଲ୍ଲା ଭିତରେ ଦୁଇଦିନ ଧରି ଅଚଳ ରହିଛି ଗୃହ, ଆଜି ବି ସମାନ ସ୍ଥିତି ହେବା ନେଇ ଆଶଙ୍କା

68

କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସ ହତ୍ୟାକୁ ନେଇ ହୁଲସ୍ତୁଲ ବିଧାନସଭା । ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ଦୁଇ ଦିନ ହୋହଲ୍ଲା ଯୋଗୁ ଗୃହ କାର୍ଯ୍ୟ ଚାଲିପାରିନଥିଲା । ଆଜି ତୃତୀୟ ଦିନରେ ମଧ୍ୟ ସମାନ ସ୍ଥିତି ଉପୁଜିବା ନେଇ ଆଶଙ୍କା ରହିଛି । କାରଣ ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଯିବା ଘଟଣାକୁ ଉଭୟ ବିଜେପି ଓ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରିଛନ୍ତି । ଏହି ପ୍ରସଙ୍ଗ ଯୋଗୁଁ ପ୍ରଥମ ଦୁଇଦିନ ଗୃହରେ ଖୁବ୍ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।

ଗତକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବି ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ ଦଳର ସଦସ୍ୟ । ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରକେ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହ ମଧ୍ୟଭାଗକୁ ମାଡ଼ି ଆସିଥିଲେ । ହାତରେ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିବା ସହ ବିଜେପି ସଭ୍ୟମାନେ ନବ ଦାସ ହତ୍ୟାର ସିବିଆଇ ତଦନ୍ତ ଦାବି କରିଥିଲେ । କଂଗ୍ରେସ କ୍ରାଇମବ୍ରାଂଚ ତଦନ୍ତ ପ୍ରକ୍ରିୟାକୁ ସମାଲୋଚନା କରିବା ସହ ଏସଆଇଟି ତଦନ୍ତ ଦାବି କରି ନାରାବାଜି କରିଥିଲେ ।

ସେପଟେ ଶାସକ ଦଳ କେନ୍ଦ୍ର ଅବହେଳା ବ୍ୟାନର ଦେଖାଇ କେନ୍ଦ୍ର ବିରୋଧରେ ବର୍ଷିଥିଲା । ଆଜି ମଧ୍ୟ ବିଜେଡି ପୁଣିଥରେ କେନ୍ଦ୍ର ଅବହେଳା ପ୍ରସଙ୍ଗ ସହ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆଇଆଇସିଙ୍କୁ ଧକ୍କା ମରା ଘଟଣାକୁ ପ୍ରସଙ୍ଗ କରିବ ।