ସୁପ୍ରିମକୋର୍ଟରେ ପହଁଚିଲା ଦ କେରଳ ଷ୍ଟୋରୀ: ପଶ୍ଚିମବଙ୍ଗରୁ ବ୍ୟାନ କଟକଣା ହଟାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଫିଲ୍ମର ନିର୍ମାତା

703

କନକ ବ୍ୟୁରୋ: ରିଲିଜ ପୂର୍ବରୁ ଫିଲ୍ମ ଦ କେରଳ ଷ୍ଟୋରୀକୁ ନେଇ ଯେତିକି ବିବାଦ ଦେଖାଦେଇଥିଲା ରିଲିଜ ପରେ ଏହାର ଅଧିକ ଘନେଇବାରେ ଲାଗିଛି । ଫିଲ୍ମର କାହାଣୀକୁ ନେଇ ଆରମ୍ଭ ହୋଇଥିବା ତିକ୍ତତା ଓ ବିବାଦ ଏବେ ଫିଲ୍ମ ଏବେ ପହଁଚିଛି ସୁପ୍ରିମକୋର୍ଟରେ । ପଶ୍ଚିମବଙ୍ଗ ଓ ତାମିଲନାଡୁ ସରକାର ନିଜ ନିଜ ରାଜ୍ୟରେ ଫିଲ୍ମକୁ ବ୍ୟାନ କରିବା ପରେ ଏହା ବିରୋଧରେ ନିର୍ମାତା ସୁପ୍ରିମକୋର୍ଟରେ ପହଁଚିଛନ୍ତି । ସେପଟେ ଫିଲ୍ମ ରିଲିଜ ଉପରେ ବ୍ୟାନ ଲଗାଇବା ପାଇଁ କେରଳ ହାଇକୋର୍ଟ ମନା କରିବା ପରେ ଏବେ ଆବେଦନକାରୀ ସୁପ୍ରିମକୋର୍ଟରେ ପହଁଚିଛନ୍ତି । ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା କପିଲ ସିବଲ ଏହି ଆବେଦନ କରିଛନ୍ତି । ମାମଲାର ଶୁଣାଣୀ ମେ ୧୫ରେ ହେବ ।

ରାଜ୍ୟରେ ଶାନ୍ତି ପ୍ରତିଷ୍ଠାର ଆଳ ଦେଖାଇ ପଶ୍ଚିମବଙ୍ଗ ସରକାର ସୋମବାର ଦିନ ରାଜ୍ୟର ସମସ୍ତ ଥିଏଟରରୁ ଦ କେରଳ ଷ୍ଟୋରୀକୁ ହଟାଇଦେଇଥିଲେ । ଫିଲ୍ମ ବ୍ୟାନ ହେବା ପରେ ଏନେଇ ଆରମ୍ଭ ହୋଇଛି ରାଜନୀତି । ସେପଟେ ଉତରପ୍ରଦେଶ ସରକାର ରାଜ୍ୟରେ ଦ କେରଳ ଷ୍ଟୋରୀକୁ ଟ୍ୟାକ୍ସ ଫ୍ରି କରିଛନ୍ତି । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଇ ଟୁଇଟ କରି ଏହି ସୂଚନା ଦେଇଛନ୍ତି । କହିବାକୁ ଗଲେ ଫିଲ୍ମକୁ ନେଇ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ଏକପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି ।

ଯେବେ ଫିଲ୍ମର ଟ୍ରେଲର ରିଲିଜ ହେଲା ସେବେଠୁ ଆରମ୍ଭ ହୋଇଥିଲା ବିବାଦ । ଏହାର କାହାଣୀ ଉପରେ ଆପତି ପ୍ରକାଶ କରି କଂଗ୍ରେସ କହିଥିଲା ଏହା ବିଜେପି ପ୍ରେରିତ ସିନେମା ।ମନଗଢା କାହାଣୀ କେରଳକୁ ବଦନାମ କରୁଛି । ସେପଟେ ବିଜେପି କହିଛି ସତ୍ୟକାହାଣୀ ଉପରେ ଆଧାରିତ ସିନେମା ଆତଙ୍କବାଦର ମୁଖା ଖୋଲିଛି । ତେଣୁ ଏହାର କୌଣସି ରାଜ୍ୟ, ସମ୍ପ୍ରଦାୟ ଓ ଧର୍ମ ସହ କୌଣସି ସମ୍ପର୍କ ନାହିଁ ।